ସମ୍ବଲପୁର: ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧ ସାଙ୍ଗକୁ ଅପରାଧିଙ୍କ ସଂଖ୍ୟା । ବାରମ୍ବାର ଚୋରି, ଡକାୟତି, ଲୁଟ୍ ପରି ଘଟଣା ସାମ୍ନାକୁ ଆସୁଛି । ଜିଲ୍ଲାର ନୂତନ ଏସପି ମୁକେଶ କୁମାର ଭାମୁ ଯୋଗଦେବା ଦେଇଥିବା ବେଳେ କିଛି ଅପରାଧିଙ୍କୁ କାବୁ କରାଯାଇଛି । କିନ୍ତୁ ଅପରାଧ କମିବାର ନାଁ ନେଉନି । ସମ୍ବଲପୁର ସହରର 9ଟି ଥାନାରେ ଜୁଲାଇ ମାସରେ ମୋଟ 77ଟି ଚୋରି, ଲୁଟ୍, ଡକାୟତି, ସାଇବର ଠକେଇ, ହତ୍ୟା ଆଦି ମାମଲା ରୁଜୁ ହୋଇଛି ।
ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ଜୁଲାଇ ମାସରେ ୧୨ଟି ଚୋରି ଓ ୪ଟି ଲୁଟ୍, ଡକାୟତି, ଠକେଇ ମାମଲା ରୁଜୁ ହୋଇଥିବା ବେଳେ ବରେଇପାଲି ଥାନା ଅଞ୍ଚଳରେ ଗୋଟିଏ ଚୋରି, ବୁର୍ଲା ଥାନା ଅଞ୍ଚଳରେ ୧୪ଟି ଚୋରି ମାମଲା ଓ ୪ଟି ଲୁଟ୍, ଡକାୟତି ଓ ଠକେଇ ମାମଲା ରୁଜୁ ହୋଇଛି । ଠିକ୍ ସେହିପରି ସମ୍ବଲପୁର ସାଇବର ଥାନାରେ ଜୁଲାଇ ମାସରେ ୩ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଧନୁପାଲି ଥାନା ଅଞ୍ଚଳରେ ୫ଟି ଚୋରି ମାମଲା ଓ ୩ଟି ଲୁଟ୍, ଡକାୟତି ଓ ଠକେଇ ମାମଲା ରୁଜୁ ହୋଇଛି ।
ଅନ୍ୟପଟେ ହୀରାକୁଦ ଥାନାରେ ଗୋଟିଏ ଚୋରି ମାମଲା ଓ ଗୋଟିଏ ଲୁଟ୍ ମାମଲା ରୁଜୁ ହୋଇଛି । କ୍ଷେତରାଜପୁର ଥାନା ଅଞ୍ଚଳରେ ୬ଟି ଚୋରି, ଗୋଟିଏ ଲୁଟ୍ ମାମଲା ରୁଜୁ ହୋଇଥିବା ବେଳେ ସଦର ଥାନା ଅଞ୍ଚଳରେ ୫ଟି ଚୋରି, ୪ଟି ଲୁଟ୍, ଠକେଇ, ଡକାୟତି ଓ ଟାଉନ ଥାନା ଅଞ୍ଚଳରେ ୭ଟି ଚୋରି ଓ ୬ଟି ଲୁଟ୍, ଡକାୟତି, ଠକେଇ ମାମଲା ରୁଜୁ ହୋଇଛି ।