ସମ୍ବଲପୁର: ସାରା ଦେଶରେ ବିଭୀଷିକା ରଚିଛି ଅଦୃଶ୍ୟ ମହାମାରୀ କୋରୋନା । ଯେପରି କେହି ଭାବିନଥିବା, ଜାଣିନଥିବା ମହାମାରୀ ଆସିଛି ସେପରି ନୂଆ ନୂଆ ସମସ୍ୟା ମଧ୍ୟ ସାଥିରେ ନେଇ ଆସିଛି, ଯାହାକୁ କୌଣସି ବ୍ୟକ୍ତି କେବେ ସ୍ବପ୍ନରେ ମଧ୍ୟ ଭାବିନଥିବ । ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ଯେତିକି ବ୍ୟତିବ୍ୟସ୍ତ କରିନଥିଲା ସେତିକି ଅମ୍ଳଜାନ ଅଭାବ ସଙ୍କଟ ସୃଷ୍ଟି କରିଥିଲା । ବିଭିନ୍ନ ସ୍ଥାନରେ ଅକ୍ସିଜେନ ଅଭାବରେ ଚାଲିଯାଇଛି ବହୁ ନିରୀହ ଜୀବନ । ଏହାପରେ ମୃତ୍ୟୁସଂଖ୍ୟା ବୃଦ୍ଧି ଶ୍ମଶାନ ସମସ୍ୟା ସୃଷ୍ଟି କରିଛି । କେଉଁଠି ମୃତଦେହ ପାଇଁ ଜାଗା ମିଳୁନି ତ ଆଉ କେଉଁଠି ସଂକ୍ରମଣ ଭୟରେ ସମ୍ପର୍କୀୟ ମୃତଦେହ ଛୁଉଁନାହାଁନ୍ତି ।
ଏ ଅଦୃଶ୍ୟ ଭୂତାଣୁର ଗ୍ରାସ ପୂର୍ବରୁ ଆତ୍ମୀୟ ସ୍ବଜନ ଚାଲିଗଲେ ଗାଁ ଦାଣ୍ଡ କାନ୍ଦ ବୋବାଳିରେ ଫାଟି ପଡୁଥିଲା । ସ୍ମଶାନ ଘାଟରୁ ପୁଅ ମୁହଁ ଲେଉଟାଇ ଫେରି ପାରୁନଥିଲା । ହେଲେ ବର୍ତ୍ତମାନ ଚିତ୍ର ବଦଳିଯାଇଛି । ମୃତ୍ୟୁ ପରେବି ଦହଗଞ୍ଜ ହେବାକୁ ପଡୁଛି ମୃତଦେହକୁ । ପ୍ରତିଦିନ ଏତେ ସଂଖ୍ୟକ ଲୋକେ ଚାଲିଯାଉଛନ୍ତି ଯେ, ଶ୍ମଶାନ ବି ଆଉ ଜାଗା ଦେବାକୁ ମନା କରିଦେଉଛି । ବହୁ କଷ୍ଟରେ କେବଳ ପରିବେଶ ସୁରକ୍ଷା ପାଇଁ ମୃତଦେହର ଅନ୍ତିମ ସତ୍କାର କରାଯାଉଛି । କେତେକ ବ୍ୟକ୍ତି ପ୍ରିୟଜନର ଅନ୍ତିମ ଦର୍ଶନରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ସବୁ ପରେ ବି ଆମ ରାଜ୍ୟ ସରକାର କୋଭିଡ ରୋଗୀଙ୍କ ଶେଷକୃତ୍ୟ ପାଇଁ ସୁବ୍ୟବସ୍ଥା କରିଛନ୍ତି । ଅନ୍ତିମ ସତ୍କାର ଦେୟ ମୁକ୍ତ କରିବା ସହ ଶ୍ମଶାନ ଘାଟ ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି, ଯେପରି କୌଣସି ଏକ ମୃତଦେହକୁ ଅସମ୍ମାନ କରାନଯାଏ । ମାତ୍ର ପରିଚାଳନା ଗତ ତ୍ରୁଟି, ଦାୟିତ୍ବରେ ଥିବା ଲୋକଙ୍କ ମଧ୍ୟରେ ବୁଝାମଣାର ଅଭାବ କାରଣରୁ ମୃତଦେହର ଶେଷକୃତ୍ୟ ପାଇଁ ସମ୍ପର୍କୀୟ ଦହଗଞ୍ଜ ହେଉଥିବା ସମ୍ବଲପୁରବାସୀ ଅଭିଯୋଗ କରିଛନ୍ତି ।