ସମ୍ବଲପୁର:ଜିଲ୍ଲାରେ ସାର କିଣାବିକା ବ୍ୟବସ୍ଥାକୁ ନେଇ କୃଷି ବିଭାଗର ନିର୍ଦ୍ଦେଶକଙ୍କ ଚିଠିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସମ୍ବଲପୁର ଜିଲ୍ଲା ସେବା ସମବାୟ ସମିତି ସଭାପତି ସଙ୍ଘ । ଏନେଇ ସମ୍ବଲପୁର ଜିଲ୍ଲା ସେବା ସମବାୟ ସମିତି ସଙ୍ଘ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
କୃଷକ ମାନଙ୍କ ଚାଷ କାର୍ଯ୍ୟରେ ସେବା ସମବାୟ ସମିତି ଗୁଡିକର ପ୍ରମୁଖ ଭୂମିକା ରହି ଆସୁଛି । ମୁଖ୍ୟତଃ ସେବା ସମବାୟ ସମିତି ଗୁଡିକରେ ଧାନ ସଂଗ୍ରହ କରାଯିବା ସହ ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ବିକ୍ରି କରାଯାଇଥାଏ । ତେବେ ବର୍ତ୍ତମାନ ଏହି ସାର ବିକ୍ରିକୁ ନେଇ କୃଷି ବିଭାଗ ନିର୍ଦ୍ଦେଶକଙ୍କ ଚିଠିକୁ ନେଇ ସେବା ସମବାୟ ସମିତି ସଭାପତି ସଙ୍ଘ ଅସନ୍ତୋଷ ପ୍ରକାଶ କରିଛି । ସଙ୍ଘ କହିଛି ଯେ ସେବା ସମବାୟ ସମିତି ଏକ ସ୍ୱୟଂ ଚଳିତ ସଂସ୍ଥା ଅଟେ । ଏହାର କର୍ମକର୍ତାଙ୍କ ନିର୍ବାଚନ ହୋଇଥାଏ । ଚାଷୀଙ୍କ ସୁବିଧା ଅନୁସାରେ ଏହା ନିଷ୍ପତ୍ତି ନେଇଥାଏ । ପୂର୍ବରୁ ଏହା ନିଜର ସୁବିଧା ଅନୁସାରେ ମାର୍କଫେଡ ଓ ଡିଲର ମାନଙ୍କ ଠାରୁ ସାର କିଣି ଚାଷୀଙ୍କୁ ସାର ବିକ୍ରି କରୁଥିଲା । ବର୍ତ୍ତମାନ କୃଷି ବିଭାଗ ନିର୍ଦ୍ଦେଶକ ଏକ ଚିଠି କରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ (PACS/LAMPCS) ସେବା ସମବାୟ ସମିତି ଗୁଡିକ କେବଳ ମାର୍କଫେଡ ରୁ ହିଁ ସାର କିଣିବେ ।