ସମ୍ବଲପୁର: ସମ୍ବଲପୁରରେ ପ୍ରଜାପତି ଉଦ୍ୟାନ । ଉଦ୍ୟାନ ପାଇଁ ଡିଜାଇନ ପ୍ରସ୍ତୁତ । ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଧ୍ୟ ସହାୟତା । ବୁଢାରଜା ଜଙ୍ଗଲର ପ୍ରାକୃତିକ ପରିବେଶ ସାଙ୍ଗକୁ ପ୍ରଜାପତି ଉଦ୍ୟାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ବିଲୁପ୍ତ ପ୍ରାୟ ପ୍ରଜାତିର କୀଟ ପତଙ୍ଗ ସହ ପ୍ରଜାପତିଙ୍କୁ ସୁରକ୍ଷା ଦେବାକୁ ଏହା ଏକ ନିଆରା ପ୍ରୟାସ l
ସମ୍ବଲପୁର ଜିଲ୍ଲା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହୋଇରହିଛି l ସମ୍ବଲପୁର ସହର ମଧ୍ୟ ଭାଗରେ ଥିବା ବୁଢାରଜା ପାହାଡ ଯାହାକୁ ସହରର ‘ଅକ୍ସିଜେନ ପ୍ଲାଣ୍ଟ’ ବୋଲି କୁହାଯାଏ । ସେଠାରେ ପ୍ରଥମ ଥର ପାଇଁ ପ୍ରଜାପତି ଉଦ୍ୟାନ ଆରମ୍ଭ କରାଯିବାର ପ୍ରସ୍ତାବ ଥିବା ବେଳେ ବର୍ତ୍ତମାନ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ କୁଶଳି ଶ୍ରମିକ ନିୟୋଜିତ ହୋଇଛନ୍ତି l ଏହି ଉଦ୍ୟାନ ପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି l ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ମଧ୍ୟ ବନ ବିଭାଗକୁ ସହାୟତା କରାଯାଉଛି l ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ ପ୍ରଦୋଷ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ ପ୍ରଜାପତି ଏମିତି ଜୀବ ଯିଏ ସବୁ ସ୍ଥାନରେ ରହିଥାଏ l ଯେଉଁ ସ୍ଥାନରେ ରଙ୍ଗୀନ ଓ ମହକଯୁକ୍ତ ଫୁଲ ଗଛ ଥାଏ ସେହି ସ୍ଥାନରେ ପ୍ରଜାପତି ଆକୃଷ୍ଟ ହୋଇ ଆସନ୍ତି l ସମ୍ବଲପୁର ବୁଢାରଜା ଜଙ୍ଗରରେ ଏହିଭଳି ପରିବେଶ ରହିଛି ଯେଉଁଠି ଏକ ପ୍ରାକୃତିକ ଝରଣା ଓ ବିଭିନ୍ନ ପ୍ରକାର ଫୁଲ ଗଛ ଅଛି l ସେଥିପାଇଁ ଏହି ସ୍ଥାନରେ ଆଉ କେତେକ ପ୍ରକାର ଫୁଲ ଗଛ ଲଗାଯାଇ ଏହିଭଳି ପରିବେଶ ସୃଷ୍ଟି କରାଯିବ ଯେଉଁଠି ପ୍ରଜାପତି ମାନେ ଆକୃଷ୍ଟ ହେବେ l