ସମ୍ବଲପୁର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ପ୍ରସ୍ତୁତି ଜୋରଦାର ଚଳାଇଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ସମ୍ବଲପୁରରେ 'ଫିର୍ ଆଏଗା ମୋଦି' ଗୀତ ଓ ଭିଡିଓ ଉନ୍ମୋଚିତ ହୋଇଯାଇଛି । ଏଥିସହ ଭାଇ 'ଆମ ଧର୍ମେନ୍ଦ୍ର ପ୍ରଧାନ' ଗୀତ ଓ ନୂଆବର୍ଷର କ୍ୟାଲେଣ୍ଡର ମଧ୍ୟ ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀରେ ଉନ୍ମୋଚନ ହୋଇଛି ।
ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନାଉରୀ ନାଏକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ 9 ବର୍ଷ ଶାସନ ସମୟରେ ଲୋକଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି । ଅନେକ ଲୋକ ଏଥିରେ ଉପକୃତ ହେଉଛନ୍ତି । ଏହାକୁ ଆଧାର କରି 'ଫିର୍ ଆଏଗା ମୋଦି' ଗୀତ ଓ ଭିଡିଓ ଉନ୍ମୋଚିତ ହୋଇଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଲାଗିଥିବା ନୂତନ ବର୍ଷର ଏକ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚିତ ହୋଇଛି । ଏହି କ୍ୟାଲେଣ୍ଡର ଜିଲ୍ଲାର ସମସ୍ତ ସ୍ଥାନରେ ପହଞ୍ଚିବ ।
ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ଆମର ପ୍ରାଥମିକତା । ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ବିଗତ ସାଢେ ନଅ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି ସଂଯୋଗ, ଋଣ, ବ୍ୟାଙ୍କ ଖାତାକୁ ଟଙ୍କା ଦେବା ଭଳି ଅନେକ କାର୍ଯ୍ୟକ୍ରମ ଗରିବ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି । ଗରିବ, ଅସହାୟ, ଚାଷୀ, ମହିଳା, ଯୁବ, ବଞ୍ଚିତ ତଥା ସମାଜର ନିମ୍ନଶ୍ରେଣୀର ଲୋକମାନେ ମୋଦି ସରକାରଙ୍କ ସବୁ କଲ୍ୟାଣକାରୀ ଯୋଜନାର ଲାଭ ପାଇ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହୋଇଛନ୍ତି । ଓଡ଼ିଶା ସମେତ ଭାରତବର୍ଷରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଆବାଳ ବୃଦ୍ଧବନିତାଙ୍କ କଲ୍ୟାଣ ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । ଏହି ସବୁ ବିଷୟ ଆଧାରରେ ‘ଫିର୍ ଆଏଗା ମୋଦି’ ପ୍ରସ୍ତୁତ ହୋଇଛି ।