ସମ୍ବଲପୁର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ବେଳେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ମଧ୍ୟରେ ଧସ୍ତାଧସ୍ତି ଘଟଣାରେ ଉଭୟ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି । ଜୟନାରାୟଣ ମିଶ୍ରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆଣି ବୁଧବାର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ସମ୍ବଲପୁର ଟାଉନ ଥାନାରେ ଆଇଆଇସିଙ୍କ ନାଁରେ ଲିଖିତ ଏତଲା ଦେଇଛନ୍ତି l
ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନିଆଯାଇ ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ବିଜେପିର ମହିଳା କାର୍ଯ୍ୟକର୍ତ୍ତାମାନଙ୍କୁ ପୁରୁଷ ପୋଲିସ କର୍ମଚାରୀମାନେ ଅଟକାଇ ଦୁର୍ବ୍ୟବହାର କରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ବିରୋଧି ଦଳର ନେତା ତଥା ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର ଆଗକୁ ଆସି ଏହାର ପ୍ରତିବାଦ କରୁଥିବା ବେଳେ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ତାଙ୍କ ପାଦ ଉପରେ ଚଢି ଯାଇଥିଲେ ଓ ତାଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଥିଲେ ।
ଅନ୍ୟପଟେ ଧନୁପାଲି ଆଇଆଇସି ଅନୀତା ପ୍ରଧାନ ମଧ୍ୟ ମାଡ ମାରିବା ଅଭିଯୋଗରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦାୟର କରିଛନ୍ତି । ତାଙ୍କୁ ଜୟ ନାରାୟଣ ମିଶ୍ର ଠେଲାପେଲା କରି ଧକ୍କା ଦେଇଥିଲେ ଏବଂ ଚାପୁଡ଼ା ମାରିଥିବାର ସେ ଅଭିଯୋଗ କରିଛନ୍ତି । ଏନେଇ ଜୟ ନାରାୟଣ ମିଶ୍ରଙ୍କ ନାଁରେ 353, 332, 354, 294, 500, 341 ଓ 506 ଭଳି ସଂଗୀନ ଦଫା ଲାଗିଥିବା ସୂଚନା ମିଳିଛି ।