ସମ୍ବଲପୁର: ପୁଣି ଚର୍ଚ୍ଚାରେ ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ପୂର୍ବରୁ ରାଜନୀତିରେ ବୟସ ସୀମାରେଖା ଉପରେ ବୟାନବାଜି ପାଇଁ ସେ ଚର୍ଚ୍ଚାରେ ଥିବା ବେଳେ ଏହାର କିଛିଦିନ ପରେ ଏକ ନାଟକୀୟ ଢଙ୍ଗରେ ତାଙ୍କୁ ମନ୍ତ୍ରୀପଦରୁ ହଟେଇ ଦିଆଗଲା । ସନ୍ତୋଷଜନକ ପ୍ରଦର୍ଶନ ନକରିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଥିବା ସୂଚନା ଦିଆଗଲା । ଏହି କିଛିଦିନ ଭିତରେ ରେଢ଼ାଖୋଲ ଅଞ୍ଚଳରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗତିବିଧି ବଢ଼ିବାରୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରସନ୍ନ ବାବୁଙ୍କୁ କୁଆଡେ ରେଢ଼ାଖୋଲ ଟିକେଟ ମିଳିବ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଲା । ଅନ୍ୟପଟେ ରୋହିତ ପୂଜାରୀ ରେଢ଼ାଖୋଲ ଆସନ ଛାଡିବାକୁ ରାଜି ନଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ସଭାରେ ନିଜର ଭାଷଣକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ।
ଆଜି ରେଢ଼ାଖୋଲ ଉପଖଣ୍ଡ କଦଳୀଗଡ଼ ଠାରେ ଅନୁଷ୍ଠିତ ଏକ ସଭାରେ ରୋହିତ କହିଛନ୍ତି, "ଏଠି ମୋର ଅଧ୍ୟାୟ ସରୁନାହିଁ, ମୋର ଅଧ୍ୟାୟ ଆରମ୍ଭ ହେଲା । ମରିବା ପର୍ଯ୍ୟନ୍ତ ମୁଁ ରେଢ଼ାଖୋଲ ସହିତ ରହିଛି ଓ ରହିବି । ଲୋକଙ୍କ କାମ କରୁଛି ଓ କରୁଥିବି । ଏମିତି କେଉଁ ଶକ୍ତି ନାହିଁ, ଯିଏ ମୋତେ ଅଟକାଇଦେବ ରେଢ଼ାଖୋଲ ମାଟିର ସେବା କରିବା ପାଇଁ । ଜଣେ ବିଧାୟକ ସେତିକି କାମ କରିବ, ସ୍ଥାନୀୟ ଲୋକେ ଯେତିକି ବଳ ଦେବେ । ମୋର ବଳ ଆପଣମାନେ, ଆପଣମାନେ ଯେତେ ବଳ ଓ ଶକ୍ତି ଦେବେ, ମୁଁ ସେତେ ଆଗକୁ ଦୌଡିବି । ଯଦି ସ୍ଥାନୀୟ ଲୋକ ନଚାହିଁବେ, ମୁଁ କଣ କରିବି । ଆପଣମାନେ ସହଯୋଗ ନକଲେ, ହିରୋରୁ ଜିରୋ ହେବାକୁ ସମୟ ଲାଗିବ ନାହିଁ ।"