ସମ୍ବଲପୁର:ତିନି ଦିନ ପରେ ଝାରସୁଗୁଡା ଉପନିର୍ବାଚନ । ଏଥିପାଇଁ ଝାରସୁଗୁଡାରେ ବର୍ତ୍ତମାନ ରାଜନୈତିକ ଉଷ୍ଣତା ଚରମ ସୀମାରେ ପହଞ୍ଚିଛି l ଝାରସୁଗୁଡା ଜିଲ୍ଲାର ଲାଇକେରା ବ୍ଲକରେ ଜମୁଛି ବିଜେଡିର ପ୍ରଚାର । ଝାରସୁଗୁଡା ନିର୍ବାଚନରେ ଅଧିକ ଗୁରୁତ୍ବ ରଖୁଥିବା ଲାଇକେରାରେ ପ୍ରଚାର ଜୋରସୋରରେ ଜାରି ରହିଛି । ଏହି ବ୍ଲକଟି ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ତତ୍କାଳୀନ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ସମୟରେ ଏହା ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିଲା । ସେତେବେଳେ ଏହି ଅଞ୍ଚଳ କଂଗ୍ରେସର ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ ହେଉଥିଲା । 2009 ପରେ ଲାଇକେରା ବିଧାନସଭା ନିର୍ବାଚନ ମଣ୍ଡଳୀ ଝାରସୁଗୁଡାରେ ମିଶ୍ରଣ ହେବା ପରେ ଝାରସୁଗୁଡାର କଂଗ୍ରେସ ପ୍ରାର୍ଥୀ ହୋଇଥିବା ନବ ଦାସ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀଙ୍କ ସହ ଭଲ ତାଳମେଳ ରକ୍ଷା କରି ଏହି ଗଡକୁ ଆହୁରି ମଜବୁତ କରିଥିଲେ ।
ଏହାସହ 2009 ଓ 2014ରେ ନବ ଦାସ ଭଲ ବ୍ୟବଧାନରେ କଂଗ୍ରେସରୁ ବିଜୟୀ ହୋଇଥିଲେ । ତେବେ 2019ରେ ନବ ଦାସ ଶଙ୍ଖ ଧରିବା ପରେ ନିଜ ସାଂଗଠନିକ ଦକ୍ଷତା ଯୋଗୁଁ ସ୍ଥାନୀୟ କଂଗ୍ରେସ କର୍ମୀଙ୍କୁ ନେଇ ବିଜେଡି ଟିକେଟରୁ ପୁଣି ବିଧାୟକ ହୋଇ ପାରିଥିଲେ l ସେହିଦିନ ଠାରୁ ଲାଇକେରା ବ୍ଲକ ଏବେ ବିଜେଡିର ଗଡ଼ ହୋଇରହିଛି l ସବୁଠାରୁ ବଡ଼ କଥା ହେଲା ଲାଇକେରା ବ୍ଲକରେ ବିଜେଡି ଭଲ ବ୍ୟବଧାନରେ ଆଗୁଆ ରହିବା ସହ ଝାରସୁଗୁଡା ବିଜୟରେ ଲାଇକେରା ବ୍ଲକର ବଡ଼ ଅବଦାନ ରହିଆସୁଛି l ତେଣୁ ବର୍ତ୍ତମାନ ନବଙ୍କ ଅବର୍ତ୍ତମାନରେ ଲାଇକେରାର ଗୁରୁତ୍ବକୁ ଦୃଷ୍ଟିରେ ଆଗରେ ରଖି ଶାସକ ବିଜେଡି ଜୋରସୋରରେ ପ୍ରଚାର କରୁଛି l