ଓଡିଶା

odisha

ସମ୍ବଲପୁର ହିଂସାକାଣ୍ଡ: ରାଜ୍ୟରେ ହିନ୍ଦୁଙ୍କୁ ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଓ

By

Published : Apr 25, 2023, 7:21 AM IST

ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ ହିନ୍ଦୁଙ୍କୁ ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରିଲା ଭଦ୍ରକ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ । ଅଧିକ ପଢ଼ନ୍ତୁ

biswa hindu parishad protest in bhadrak
ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଓ

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରାଓ

ଭଦ୍ରକ:ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ସାମ୍ପ୍ରଦାୟିକ ହିଂସାକାଣ୍ଡ ନେଇ ହିନ୍ଦୁଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଛି ଭଦ୍ରକ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ହିନ୍ଦୁଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଦାବି କରିଛି ।

ହନୁମାନ ଜୟନ୍ତୀ ବେଳେ ସମ୍ବଲପୁର ସହରରେ ସାଂପ୍ରଦାୟୀକ ହିଂସାକାଣ୍ଡ ଘଟି ସଂଘବଦ୍ଧ ଆକ୍ରମଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଥିଲେ । ବହୁ ସଂଖ୍ୟକ ଦୋକାନ ବଜାର, ଯାନବାହନ, ସରକାରୀ ଏବଂ ବେସରକାରୀ ସମ୍ପତ୍ତି ପୋଡି ଦିଆଗଲା । ଏଥିରେ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଯାହାକୁ ଦୃଢ ନିନ୍ଦା କରିଛି ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ । ଏହାର ପ୍ରତିବାଦରେ ହିନ୍ଦୁଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ମିଳିତ ଭାବେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ଏନେଇ ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି କହିଛନ୍ତି, "ସମ୍ବଲପୁରରେ ଯେଉଁଭଳି ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଏହି ଘଟଣା ନେଇ ପୋଲିସ ପକ୍ଷରୁ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ? ଦଙ୍ଗାରେ ଅନେକ ଲୋକ ସାମିଲ ଥିବାବେଳେ ପୋଲିସ କିଛି ଜଣଙ୍କୁ ଗିରଫ କରିି ଅନ୍ୟମାନଙ୍କୁ ଛାଡ଼ି ଦେଇଛି । ଆଇଆଇସିଙ୍କ ଏତଲା ମୂଳେ 150ରୁ ଊର୍ଦ୍ଧ ମାମଲା ରୁଜୁ ହୋଇଥିବା ବେଳେ ଅଦ୍ୟାବଧି ମାତ୍ର 26 ଜଣଙ୍କୁ ଗିରଫ କରାଯାଇଛି । ଏହି ଗିରଫଦାରି ମଧ୍ଯ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ହେଉଛି । "

ପୂର୍ବ ନିୟୋଜିତ ଯୋଜନା ଅନୁଯାୟୀ ଆକ୍ରମଣ ହୋଇଥିଲା ବୋଲି ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ସ୍ୱୀକାର କରିଥିବା ବେଳେ ରାଜ୍ୟର ପୋଲିସ ଏବଂ ଗୁଇନ୍ଦା ସଂସ୍ଥା କିପରି କିଛି ସୁରକ୍ଷା ନେଲେ ନାହିଁ ବୋଲି ବିଶ୍ବହିନ୍ଦୁ ପରିଷଦ ପ୍ରଶ୍ନ କରିଛି । ତେଣୁ ପ୍ରକୃତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏଥିସହ ମସଜିଦ, ମଦ୍ରାସା ଏବଂ ବିଭିନ୍ନ ବସ୍ତିମାନଙ୍କରେ ଅସ୍ତ୍ରଶସ୍ତ୍ରର ତଲାସି କରାଯିବା, ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାହାର କରାଯିବା, ନିର୍ଦ୍ଦୋଷ ହିନ୍ଦୁମାନଙ୍କ ବିରୋଧରେ ହେଉଥିବା ମାମଲାକୁ ତୁରନ୍ତ ବନ୍ଦ କରାଯିବା ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details