ସମ୍ବଲପୁର:ମନରେଗା କାର୍ଯ୍ୟରେ ଶ୍ରମିକଙ୍କ ସହ କାର୍ଯ୍ୟ କଲେ ବିଡ଼ିଓ l ମନରେଗା କାର୍ଯ୍ୟ ହେଉଥିବା କାର୍ଯ୍ୟ ସ୍ଥଳକୁ ଯାଇ ନିଜେ ଶ୍ରମିକଙ୍କ ସହ ଝୁଡ଼ି ବୋହି ଶ୍ରମିକମାନଙ୍କୁ ଉତ୍ସାହିତ କରିଛନ୍ତି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକର ବିଡ଼ିଓ ନିଲାମ୍ବର ମହାନନ୍ଦ । ମୁଖ୍ୟତଃ ଏହି ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ଏଠାରେ ଦାଦନ ଶ୍ରମିକ ଏକ ପ୍ରମୁଖ ସମସ୍ୟା l ତେଣୁ ଦାଦନ ଶ୍ରମିକ ରୋକିବାକୁ ସ୍ଥାନୀୟ ବିଡ଼ିଓ ଏପରି ନିଆରା ପ୍ରୟାସ ଆପଣାଇଛନ୍ତି ।
ମନରେଗା ଯୋଜନା ମାଧ୍ୟମରେ ଗରିବ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ମନରେଗା କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକମାନଙ୍କୁ ଉତ୍ସାହିତ କରିବାକୁ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ବିଡିଓ ନୀଳାମ୍ବର ମହାନନ୍ଦ ନିଆରା ପ୍ରୟାସ ଆପଣାଇଛନ୍ତି । ନିଜେ କାର୍ଯ୍ୟସ୍ଥଳକୁ ଯାଇ ଶ୍ରମିକ ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି ଏବଂ ସେମାନଙ୍କ ସହ କିଛି ସମୟ କାମ ମଧ୍ୟ କରୁଛନ୍ତି । ସେହିପରି ବିଡିଓଙ୍କୁ ଅତି ନିକଟରେ ପାଇ ଶ୍ରମିକମାନେ ମଧ୍ୟ ଖୋଲାଖୋଲି ଭାବେ ସେମାନଙ୍କ ସମସ୍ୟା ତାଙ୍କୁ ଜଣାଇ ପାରୁଛନ୍ତି । ଜୁଯୁମୁରା ବିଡ଼ିଓଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ସ୍ବାଗତ କରାଯାଇଛି । ବର୍ତ୍ତମାନ ମନରେଗା ଯୋଜନାରେ ଜୁଜୁମୁରା ବ୍ଲକ୍ର ଗଡ଼ଲୋଇସିଂହ ପଞ୍ଚାୟତ ଚାରପାଲି ପୋଖରୀ ଖନନ ଓ ବାଣ୍ଡିଝରଣ ଡ୍ରେନ୍ କାମ ଚାଲିଛି । ଏହି ପରିପ୍ରେକ୍ଷୀରେ ବିଡିଓ ନିଜେ କାର୍ଯ୍ୟ ସ୍ଥଳରେ ପରିଦର୍ଶନ କରୁଛନ୍ତି । କିଭଳି କାମ ହେଉଛି, କ’ଣ ସବୁ ସମସ୍ୟା ରହୁଛି ବୋଲି ସେମାନଙ୍କଠାରୁ ପଚାରି ବୁଝୁଛନ୍ତି । ଏ ସମ୍ପର୍କରେ ବିଡ଼ିଓ କହିଛନ୍ତି ଯେ, ଦାଦନ ଶ୍ରମିକ ସମସ୍ୟା ରୋକିବା, ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସେ ଚେଷ୍ଟା କରୁଛନ୍ତି ।