ସମ୍ବଲପୁର:ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ ଘଟଣା । ଏହି ଘଟଣାର ଅନ୍ୟତମ ଆହତ ଜୀବନ ନାଏକ ଘଟଣାର ଅନୁଭୂତି ବଖାଣିଛନ୍ତି । ତାଙ୍କ ବେକକୁ ସ୍ପର୍ଶ କରି ଚାଲିଯାଇଥିଲା ଗୁଳି । ଆଜି ବର୍ଲା ଭୀମସାର ମେଡିକାଲରୁ ଡିଶ୍ଚାର୍ଜ ହେବା ପରେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ଦର୍ଶନ କରିବାକୁ ଆସିଥିଲେ । ଏହି ଅବସରରେ ହତ୍ୟାକାଣ୍ଡ ଦିନର ଘଟଣା କେମିତି ଥିଲା ସେ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।
ଏହି ଅବସରରେ ଜୀବନ କହିଥିଲେ ଯେ ସେହି ଦିନ ସେ ଅନ୍ୟ ସମର୍ଥକଙ୍କ ସହ ଗାନ୍ଧୀ ଛକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିବା ପରେ ସେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କ କାର ପାଖକୁ ଯାଇ ମନ୍ତ୍ରୀ ଓହ୍ଲେଇବା କ୍ଷଣି ତାଙ୍କ ପାଦକୁ ଛୁଇଁଥିଲେ। ପାଦ ଛୁଇଁ ବା ଭିତରେ ତାଙ୍କ ବେକ ପଛ ପଟେ ଗୁଳି ବାଜି ଚାଲି ଯାଇଥିଲା । ପ୍ରଥମେ ବହୁତ ଜୋରରେ ଶବ୍ଦ ହେବାରୁ ସେ କିଛି ବୁଝି ପାରିନଥିଲେ ତେବେ ଏତିକି ସମୟ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ମାଡ଼ ହୋଇସାରିଥିଲା ଓ ରକ୍ତ ଜୁଡୁବୁଡୁ ହୋଇ ସେ କାର ବାହାରେ ବେହୋସ ହୋଇ ପଡି ସାରିଥିଲେ ।
ପରେ ସେ ସ୍ଥାନୀୟ ସମର୍ଥକଙ୍କୁ ନିଜର ଆଘାତ ବିଷୟରେ କହିବାରୁ ତାଙ୍କୁ ମଧ୍ୟ ହସ୍ପିଟାଲକୁ ନିଆଯାଇଥିଲା । ଝାରସୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଆହତ ଜୀବନ ନାଏକଙ୍କ ପ୍ରକୃତ ଘର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳ ବୋଲି ଜଣାପଡିଛି । ସେ ବ୍ରଜରାଜନଗର ଅଞ୍ଚଳରେ ଏକ ସୁରକ୍ଷା ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଗତ ୮ ମାସ ହେଲା ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ ସମ୍ପର୍କରେ ଥିଲେ ବୋଲି କହିଛନ୍ତି । ଜୀବନ କହିବା ଅନୁସାରେ ସେହିଦିନ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ତାଙ୍କ ସହ ଛିଡା ହୋଇଥିଲେ । ତାଙ୍କର ହାବଭାବରୁ ସେମତି କିଛି ପରିଲକ୍ଷିତ ହେଉନଥିଲା ।