ସମ୍ବଲପୁର:ଜିଲ୍ଲା ବାୟୁମଣ୍ଡଳରେ ବିଷମୟ ହୋଇଥିବା ଅଭିଯୋଗ ହୋଇଛି ! ବର୍ତ୍ତମାନ ସମ୍ବଲପୁର ସହରର ବାୟୁମଣ୍ଡଳର ପ୍ରଦୂଷଣ ଏତେ ପରିମାଣରେ ବଢିଯାଇଛି ଯେ ସହରବାସୀ ଅଣନିଶ୍ୱାସୀ ହୋଇଗଲେଣି । ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଶ୍ୱାସ ଜନିତ ରୋଗ ଦେଖାଗଲାଣି l ସହରରେ ଚାଲିଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ, ସ୍ବରେଜ ବୋର୍ଡର କାର୍ଯ୍ୟ, ଆଖ ପାଖର କଳ କାରଖାନାର ଧୂଆଁ, ଯାନ ବାହାନ ଓ ଶୁଷ୍କ ଜଳବାୟୁ ଯୋଗୁଁ ଏମିତି ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି l
ସମ୍ବଲପୁରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ । ବର୍ତ୍ତମାନ ସମ୍ବଲପୁର ସହରର ବାୟୁ ପ୍ରଦୂଷଣର ମାତ୍ରା 2 ଗୁଣରୁ ଅଧିକ ବଢ଼ି ଯାଇଛି l ଫଳରେ ସ୍ଥାନୀୟ ଲୋକେ ବାହାରକୁ ବାହାରିଲେ ଅଥବା ସହରର କୌଣସି ସ୍ଥାନକୁ ଗଲେ ଅଣ ନିଶ୍ଵାସୀ ଅନୁଭବ କରୁଛନ୍ତି l ବାୟୁ ମଣ୍ଡଳରେ ଏତେ ଧୂଳିକଣା ଉଡ଼ୁଛି ଯେ ତାହା ସ୍ପଷ୍ଟ ଭାବେ ଜଣା ପଡୁଛି l ତେବେ ବାୟୁ ପ୍ରଦୂଷଣ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ମୁଖ୍ୟତଃ ବର୍ତ୍ତମାନ ସହରରେ ଧନୁପାଲିରୁ ଜେଲ ଛକ, ଜେଲ ଛକରୁ କଚେରୀ ଛକ, ଅଶୋକା ଟକିଜ ଛକରୁ ସରଳାକାନି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଓ ସ୍ବରେଜ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଅଞ୍ଚଳରେ ପାଣି ସିଞ୍ଚନ ହେଉନଥିବାରୁ ବାୟୁ ପ୍ରଦୂଷଣ ବହୁ ପରିମାଣରେ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି l ଏହାସହ ଅତ୍ୟଧିକ ଯାନ ବାହାନ ଚଳାଚଳ, ଆଖପାଖର କଳ କାରଖାନାର ପ୍ରଦୂଷଣ, ଶୀତ ଦିନର ଶୁଷ୍କ ଜଳବାୟୁ, ଗଛ କଟାଯିବା ଯୋଗୁଁ ଏହି ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି l