ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପୁଣି ପଶ୍ଚିମ ଓଡ଼ିଶାରେ ହେବ ଆନ୍ଦୋଳନ। ଦୀର୍ଘ ଦିନର ନୀରବତା ପରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଏହି ଆନ୍ଦୋଳନ ହେବ ବୋଲି ଶୁକ୍ରବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି ।
ତେବେ ଆସନ୍ତା ସେପ୍ଟେମ୍ବର 26, 27 ଓ 30 ତାରିଖରେ ତିନି ଦିନ ବ୍ୟାପୀ ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବନ୍ଦ ପାଳନ କରିବ ।
ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, କୋର୍ଟ, କଚେରୀ, ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥାଙ୍କୁ ବିକ୍ଷୋଭ କରି ବନ୍ଦ କରି ଦିଆଯିବ ବୋଲି ଓକିଲ ସଂଘ କହିଛି। ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବା, ହସ୍ପିଟାଲ, ଦୋକାନ, ବଜାର, ଗାଡି, ମୋଟର ଚଳାଚଳକୁ ବାଦ ଦିଆଯାଇଛି।