ସମ୍ବଲପୁର: ସାରା ଦେଶରେ କୋଭିଡ-19 ମୁକାବିଲା ପାଇଁ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ବିଭିନ୍ନ ଜାଗାରେ ଫସି ରହିଛନ୍ତି । ଯେଉଁମାନେ ଲକଡାଉନ ପୂର୍ବରୁ ଜୀବନ ଜୀବିକା ପାଇଁ ନିଜ ଭିଟାମାଟି ଛାଡି ଅନ୍ୟତ୍ର ଯାଇଥିଲେ ସେଠାରେ ହିଁ ଫସିଗଲେ ।
ଏହିପରି ଏକ ଦୁଃଖଦ କାହାଣୀ ହେଉଛି ଛତିଶଗଡ ବାଲାଓଦା ବଜାର ଜିଲ୍ଲା ଭଟାପଡା ଅଞ୍ଚଳର ଆଦିବାସୀଙ୍କର । କାମ ଆଶାରେ ସମ୍ବଲପୁରରେ 4 ମାସ ହେଲା ରହିଆସୁଛନ୍ତି 23ଟି ପରିବାର । ହେଲେ ଲକଡାଉନ ଘୋଷଣା ପରେ ଏମାନଙ୍କ ଅବସ୍ଥା ଦୟନୀୟ ହୋଇଛି । ଗତ ଜାନୁୟାରୀରୁ ମହାନଦୀ କୂଳେ କୂଳେ ଥିବା ବଣରୁ ସଂଗ୍ରହ କରୁଥିଲେ ଜଡିବୁଟି । ଶ୍ରମିକ କାମ କରି ପୋଷୁଥିଲେ ପେଟ । ରୋଜଗାର ଆଶାରେ ଛାଡି ଆସିଥିଲେ ଭିଟାମାଟି । ଆଶା ଥିଲା ଭଲ ଦୁଇ ପଇସା ରୋଜଗାର କରିବେ । କିନ୍ତୁ ଅଧୁରା ରହିଗଲା ଆଶା । ସବୁ ଓଲଟପାଲଟ କରିଦେଲା ଲକଡାଉନ ଘୋଷଣା । ଫେରିପାରିଲେନି ଘରକୁ । ନଦୀପଠାରେ ଫସି ରହିଗଲେ 65 ପ୍ରବାସୀ ଲୋକ ।