ସମ୍ବଲପୁର: ସମ୍ବଲପୁର ମହାନଗର ଅଧୀନ ବୁର୍ଲା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ବୁର୍ଲା ନାଗରିକ କ୍ରିୟାନୁଷ୍ଠାନ କମିଟି ଏନେଇ ନିଜର ଅସନ୍ତୋଷ ଜାହିର କରିଛି । ଏଥିସହ ଜିଲ୍ଲା ପ୍ରଶାସନର ଏହିଭଳି ମନମୁଖୀ କାର୍ଯ୍ୟକଳାପ ବନ୍ଦ ନକଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ।
ସୂଚନା ମୁତାବକ, ବୁର୍ଲାର ଗୋପବନ୍ଧୁ ଛକରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗତ ଅଗଷ୍ଟ 11 ତାରିଖରୁ ଏହି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ 700ରୁ ଉର୍ଦ୍ଧ୍ବ ଦୋକାନ ଭଙ୍ଗା ଯାଇଥିବା ବେଳେ କେତେକ ଲୋକଙ୍କ ଘର ମଧ୍ୟ ଉଚ୍ଛେଦ କରାଯାଇଥିଲା । ତେବେ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିଥିଲା । ଏଭଳି ପରିସ୍ଥିତିରେ ଲୋକେ ଗତ କିଛି ଦିନ ତଳେ ବୁର୍ଲା କ୍ରିୟାନୁଷ୍ଠାନ କମିଟିର ନେତୃତ୍ୱରେ 12 ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦେଇଥିଲେ । ମୁଖ୍ୟତଃ ଉଚ୍ଛେଦ ପୂର୍ବରୁ ଲୋକଙ୍କୁ ନୋଟିସ ଦେଇ ପ୍ରଥମେ କ୍ଷତିପୂରଣ ଦେବା ସହ ଥଇଥାନ କଲା ପରେ ଉଚ୍ଛେଦ କରାଯାଉ ଓ ସରକାରୀ ଜମିରେ ରହୁଥିବା ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଉ ବୋଲି ବୁର୍ଲା ନାଗରିକ କମିଟି ଦାବି କରିଥିଲା ।
ତେବେ ବର୍ତ୍ତମାନ ସୁଦ୍ଧା 90 ପ୍ରତିଶତ ଉଚ୍ଛେଦ କାର୍ଯ୍ୟ ସରିଯାଇଛି । ହେଲେ ଜିଲ୍ଲା ପ୍ରଶାସନ ପୁଣି ଉଚ୍ଛେଦ କରିବାକୁ ଉଦ୍ୟମ କରୁଥିବା ବେଳେ ଏହାକୁ ବନ୍ଦ କରିବାକୁ ଦାବି କରିଛି ବିଜେଡି ପ୍ରତିନିଧି ଦଳ । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ଏବେ ଶାସକ ବିଜେଡି ଉପରେ ଟାର୍ଗେଟ କରିଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ କହିଛନ୍ତି ଯେ, ପୂର୍ବରୁ ବିଜେପି ଏହି ପ୍ରସଙ୍ଗ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ତେବେ ସେତେବେଳେ ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଇ ନଥିଲା । ଆଉ ବର୍ତ୍ତମାନ ବହୁ ପରିମାଣରେ ଲୋକେ କ୍ଷତିଗ୍ରସ୍ତ ହେବା ପରେ ଏତେ ବିଳମ୍ବରେ ବିଜେଡିର ଚେତା କାହିଁକି ପଶିଲା ବୋଲି ପ୍ରଶ୍ନ କରିଛି ବିଜେପି ।