ସମ୍ବଲପୁର: ଧାନ ବିକ୍ରି କରିନପାରି ଆତ୍ମହତ୍ୟା କଲେ ଗରୀବ ଚାଷୀ । ହେଲେ ଦୁଃଖ ସାଗରରେ ଭସାଇ ଦେଇଗଲେ ପୁରା ପରିବାରକୁ । ପୂର୍ବରୁ ଋଣ ଭାର ମୁଣ୍ଡରେ ବୋହି ବୁଲିଥିବା ପରିବାର ଉପରେ ଏବେ ଚାଷୀଙ୍କ ଶୁଦ୍ଧିକ୍ରିୟାର ବୋଝ । ମୃତ୍ୟୁ ପରର ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ଚାଷୀଙ୍କ ବିଧବା ପତ୍ନୀ ପାଖରେ ଟଙ୍କାଟିଏ ନାହିଁ । ଏଭଳି ସ୍ଥିତିରେ ବର୍ତ୍ତମାନ 2 ଝିଅଙ୍କ ସହ ପରିବାର ପ୍ରତିପୋଷଣ ଚିନ୍ତାରେ ଘାରି ହୋଇଛନ୍ତି ବିଧବା ମହିଳା ।
ଘଟଣାଟି ହେଉଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ଅଞ୍ଚଳର । ଦୁଇ ଝିଅ ଓ ପତ୍ନୀକୁ ନେଇ ଯୁବ ଚାଷୀ ଦାମୋଦର ବଗର୍ତ୍ତିଙ୍କ ଅଭାବୀ ପରିବାର । ନିକଟରେ ଚାଷୀ ଜଣକ ଆତ୍ମହତ୍ୟା କରିଛନ୍ତି । ତେବେ ଧାନ ବିକି ନପାରିବା ଯୋଗୁଁ ଋଣ ବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଦାମୋଦର ସିନା ଆରପାରିକୁ ଚାଲିଗଲେ କିନ୍ତୁ ପଛରେ ତାଙ୍କ ପରିବାରର ଦୁଃଖ କହିଲେ ନ ସରେ ।