ସମ୍ବଲପୁର: ପ୍ରତିଶୃତି ପ୍ରତାରଣା ପ୍ରହେଳିକାର 6 ଦଶନ୍ଧି । ବିସ୍ଥାପନ ପରେ ବିସ୍ଥାପନ । ପୁଣି ଆକାଶରୁ ସ୍ବର୍ଗ ତୋଳି ଆଣିଦେବାର ଛଳନା । ଆଉ ସରକାରଙ୍କ ଏହି ସାଂଘାତିକ ଛଳନା ଓ ପ୍ରତାରଣା କେବେ ଆଶା କରିନଥିଲେ ନିରୀହ ଗରିବ ଗୁରୁବା ଲୋକଗୁଡାକ । ତାଙ୍କର ଦୋଷ ଏହା ଯେ ଦେଶର ଗୌରବ ପାଇଁ ରାଜ୍ୟର ଦୃତ ବିକାଶ ପାଇଁ ଭିଟାମାଟି ତ୍ୟାଗ କରିଛନ୍ତି । ଆଉ ଏହି ତ୍ୟାଗ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସହ ଯେଉଁ ଛଳନା କରିଛନ୍ତି ତାହା ଆଜିର ତୃତୀୟ ପୀଢି ମଧ୍ୟ ଶୁଣି ଦେଖି ଗୁମୁରି ଗୁମୁରି କାନ୍ଦୁଛନ୍ତି ସିନା ହେଲେ ତାଙ୍କ କାନ୍ଦ କୌଣସି ନିର୍ବାଚିତ ସରକାର ପାଖରେ ପହଞ୍ଚୁନାହିଁ । ନ୍ୟାୟ ପାଇବାକୁ ଆଉ କେତେ ଦିନ ଅପେକ୍ଷା କରିବେ? ସେମାନଙ୍କୁ ଥଇଥାନ କେବେ କରିବେ ସରକାର ? କେବେ ସ୍ଥାପିତ ହେବେ ବିସ୍ଥାପିତ ? କାହିଁକି ସରକାର କଲେ ଛଳନା ? ବିକାଶ ପାଇଁ ଭିଟାମାଟି ଛାଡିବା କଣ ତାଙ୍କର ଭୁଲ ଥିଲା? ଆଜି ରକ୍ତର ସମ୍ପର୍କ ଯେଉଁ ଛିନଛତ୍ର ହୋଇଯାଇଛି ସେଥିପାଇଁ ଦାୟୀ କିଏ? ଏମିତି ଅନେକ ଯନ୍ତ୍ରଣାଦାୟକ ବେଦନାଭରା ପ୍ରଶ୍ନ ସରକାରଙ୍କୁ ପଚାରୁଛନ୍ତି ହୀରାକୁଦ ନଦୀବନ୍ଧ ବିସ୍ଥାପିତ ।
ସେଦିନ ଥିଲା 1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଲା ଭିତ୍ତି ପ୍ରସ୍ତର । ଆଉ ଆଜିର ଦିନରେ ଅର୍ଥାତ 1957 ଜାନୁଆରି 13 ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହେଲା ହୀରାକୁଦ ନଦୀବନ୍ଧ। ଆଜି ହୀରାକୁଦ ନଦୀବନ୍ଧ 64 ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଏହି ନଦୀବନ୍ଧ ନିର୍ମାଣ ପାଇଁ ଯେଉଁମାନଙ୍କ ଜୀବନ ମାଟିରେ ମାଟି ହୋଇଗଲା ପୀଢି ପରେ ପୀଢି ଲୋପ ପାଇଗଲା, ପେଟକୁ ଦାନ ମୁଠାଏ ଦେବାପାଇଁ ଛିନଛତ୍ର ହୋଇଗଲେ । ସେମାନଙ୍କୁ ଏ ସରକାର କେବେ ଉପଯୁକ୍ତ ଭାବେ ଖୋଜିଛି ନା ଥାଇଥାନ କରିଛି । କାରଣ ସେମାନେ ବିସ୍ଥାପିତ । ସେମାନଙ୍କ ପାପ ଏହାଯେ ସେମାନ ନିଜ ଭିଟାମାଟିକୁ ହୀରାକୁଦ ଗର୍ଭରେ ବୁଡିଯିବାକୁ ଦେଲେ । ଯାହାର ଫଳ ବୋଧହୁଏ ଭୋଗୁଛନ୍ତି ବିସ୍ଥାପିତ ।
କେତେ ଲୋକ ହୋଇଥିଲେ ପ୍ରଭାବିତ ?
ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତଥ୍ୟ ଅନୁସାରେ ନଦୀବନ୍ଧ ପାଇଁ ଅଞ୍ଚଳର ଦେଢ ଲକ୍ଷ ହେକ୍ଟର ଚାଷ ଜମି ବୁଡିଗଲା । 750 ବର୍ଗ କିଲୋମିଟର ବ୍ୟାପି ଜଳ ଭଣ୍ଡାର ଅଞ୍ଚଳରେ ଥିବା 369 ଗାଁ ପାଣିରେ ସମାଧି ହୋଇଗଲା । ଶହ ଶହ ମଠ ମନ୍ଦିର, ଧର୍ମାନୁଷ୍ଠାନ ସହ ଘର ଦ୍ବାର ସମ୍ପର୍କ ସମ୍ପତ୍ତି ବୁଡିଲା । ଏଥିପାଇଁ 26 ହଜାରୁ ଅଧିକ ପରିବାର ହେଲେ ପ୍ରଭାବିତ । 19 ହଜାରରୁ ଅଧିକ ପରିବାର ହେଲେ ଚିରକାଳ ପାଇଁ ବିସ୍ଥାପିତ । ହେଲେ ସରକାରଙ୍କ ଛଳନା ପାଇଁ ଏହି ବିସ୍ଥାପିତ ପରିବାର ନିଶ୍ଚିହ୍ନ ହୋଇଯିବା ସ୍ଥିତିରେ ଏବେ । ଭିଟାମାଟିରୁ ଜନ୍ମଜନ୍ମାନ୍ତର ଯାଏ ବିଚ୍ଛିନ୍ନ ହୋଇଯିବାର ଦୁଃଖ ଯନ୍ତ୍ରଣା କୋହରେ ପଶ୍ଚିମାଞ୍ଚଳ ଓ ପଡୋଶୀ ଛତିଶଗଡର କେଉଁ ଏକ ଅଚିହ୍ନା ଅଜଣା ଜାଗାରେ ଆଶ୍ରୟ ନେଇଛନ୍ତି ବିସ୍ଥାପିତଙ୍କ ପରବର୍ତ୍ତୀ ପୀଢି ।
କୁହାଯାଉଛି ହୀରାକୁଦ ନଦୀବନ୍ଧ ପାଇଁ ହୋଇଥିବା ବିସ୍ଥାପିତ ଦେଶର ସର୍ବବୃହତ ବିସ୍ଥାପନ । ହେଲେ କେନ୍ଦ୍ର ଓ ରାଜ୍ୟରେ ସରକାର ପରେ ସରକାର ଆସିଛି ଯାଇଛି । କିନ୍ତୁ ଦେଶର ସର୍ବବୃହତ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢିବଢି ଚାଲିଛି । ଏହି ହୀରାକୁଦରେ ବର୍ତ୍ତମାନ କେତେ ବିଦେଶରୁ କେତେ ପକ୍ଷୀ ରାଜ୍ୟ ବାହାରୁ ଆସିଲେ, କେଉଁ ରଙ୍ଗର ପକ୍ଷୀ ଆସିଲେ, କେତେଦିନ ବସବାସ କଲେ ସରକାର ଗୋଟି ଗୋଟି କରି ଗଣତି କରିପାରୁଛନ୍ତି । ଅଥଚ ସେହି ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ଯେଉଁ ଅଭାବି ଅଶିକ୍ଷିତ ଅଳ୍ପଶିକ୍ଷିତ ପରିବାର ଜନ୍ମଭୂମି କର୍ମଭୂମି ସହ ନିଜ କୂଳଦେବତାଙ୍କୁ ନଦୀବନ୍ଧରେ ବୁଡିଯିବାର ଦାରୁଣ କଷ୍ଟକୁ ଦେଖିଲେ ଓ ରାଜ୍ୟର ବିକାଶ ପାଇଁ ସର୍ବସ୍ବ ତ୍ୟାଗକଲେ ତାଙ୍କୁ ଏହି କର୍ମବୀର ବିକାଶ ବୀର ସରକାର ଗଣତି କରିପାରୁ ନାହିଁନ୍ତି । ଏହାଠାରୁ ଅଧିକ ଆଉ କଣ ବିଡମ୍ବନା ହୋଇପାରେ ।