ସମ୍ବଲପୁର: ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନରେ କୁଚିଣ୍ଡା ଉପଖଣ୍ଡ, ରେଙ୍ଗାଲିର ଖିଣ୍ଡା, ରେଙ୍ଗାଲି ଓ ସମ୍ବଲପୁର ମହାନଗର ସମେତ ମା' ଘଣ୍ଟେଶ୍ବରୀ ମନ୍ଦିର ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଆଗାମୀ ୩୦ ଦିନରେ ଦାବି ପୂରଣ ହେବା ନେଇ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି 5T ସଚିବ ।
ହେଲିକପ୍ଟର ଯୋଗେ ଆସି ପ୍ରଥମ ଦିନରେ କୁଚିଣ୍ଡା ମୁକୁନ୍ଦି ପଡିଆରେ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଲୋକଙ୍କ ସମସ୍ୟା ଶୁଣିବା ସହ ଦାବିପତ୍ର ଗ୍ରହଣ କରିଥିଲେ 5T ସଚିବ । ତେବେ ପାଗ ଖରାପ ଯୋଗୁଁ ବାମରା ବ୍ଲକ ଗସ୍ତ ବାତିଲ ହୋଇଥିବା ବେଳେ କିଛି ସମୟରେ ବିଳମ୍ବରେ ପାଗରେ ପରିବର୍ତ୍ତନ ପରେ ଅପରାହ୍ନ ଗୋଟାଏ ୪୦ ମିନିଟରେ ପହଞ୍ଚିଥିଲେ 5T ସଚିବ । ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ମନ୍ଦିର ଓ ମସଜିଦ୍ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ କମ୍ୟୁନିଟି ସେଣ୍ଟରର ଦାବି ଆଗାମୀ ୭ ଦିନ ଭିତରେ ପୂରଣ ହେବ ବୋଲି ସେ କହିଛନ୍ତି । ସେହିପରି କୁଚିଣ୍ଡା ଅଞ୍ଚଳରେ ଲାଗିରହିଥିବା ପିଇବା ପାଣି ସମସ୍ୟା ୪୮ରୁ ୭୦ ଘଣ୍ଟା ଭିତରେ ସମାଧାନ ହେବ ବୋଲି 5T ସଚିବ କୁଚିଣ୍ଡାବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହାସହ ଜନସାଧାରଣ ଦେଇଥିବା ଦାବିପତ୍ରର ତର୍ଜମା କରି ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗ ଆସନ୍ତା ମାସେ ଭିତରେ ଏହି ରିପୋର୍ଟ 5T ସଚିବଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ।
ତେବେ କୁଚିଣ୍ଡାରେ ପାଖାପାଖି ୨୦-୨୫ ମିନିଟ ରହିବା ପରେ ସେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ରେଙ୍ଗାଲି ଖିଣ୍ଡା ଯାଇ ସେଠାକାର ଉନ୍ନତି ପାଇଁ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ରେଙ୍ଗାଲି ହାଇସ୍କୁଲ ପଡିଆରେ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗ ଦେଇଥିଲେ ସଚିବ । ସେଠାରେ ମଧ୍ୟ ରେଙ୍ଗାଲି ଅଞ୍ଚଳର ବିକାଶ ନେଇ ପ୍ରତିଶୃତି ଦେବା ସହ ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେଇଛନ୍ତି । ତେବେ 5T ସଚିବଙ୍କୁ ପାଖରେ ପାଇ ବୀର ସୁରନ୍ଦ୍ର ସାଏଙ୍କ ପରିବାର ତଥା ରେଙ୍ଗାଲିବାସୀ ବେଶ ଖୁସି ପ୍ରକଟ କରିଛନ୍ତି । ଏହାସହ ସମାସ୍ୟାର ତ୍ବରିତ ସମାଧାନ ପ୍ରତିଶୃତି ପାଇ ସମସ୍ତେ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଏହାପରେ ବୁର୍ଲା ମିଶନ ଶକ୍ତି କାଫେ ଯାଇ ସେଠାରେ ଏସ୍ଏଚ୍ଜି ମାଆ ମାନଙ୍କ ସହ ଆଲୋଚନା କରିଛନ୍ତି ସଚିବ ।