ସମ୍ବଲପୁର: ଏବେ ବି ବଞ୍ଚିଛି ସାମାଜିକ କୁସଂସ୍କାର । ଏମିତି କୁପ୍ରଥା ଏବେବି ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳୁଛି । ଅନ୍ୟ ଜାତିର ମହିଳା ବିବାହ କରିବା ପରେ ପ୍ରଥମେ ନିଜ ଜାତିରୁ ବାସନ୍ଦ ଆଉ ତା ପରେ ଏବେ ଝିଅର ବାହାଘର ହୋଇପାରୁନି । ଆଉ ଗୋଟିଏ ଘଟଣାରେ ବିବାହ ପୂର୍ବରୁ ଜଣେ ବ୍ୟକ୍ତି ଅନ୍ୟ ଜାତିର ମହିଳା ସହ ସମ୍ପର୍କ ରଖିଥିବାରୁ ବିବାହର 10 ବର୍ଷ ପରେ ଜାତିରୁ ବାସନ୍ଦ କରାଯାଇଛି । ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ । ଉଭୟ ଅଭିଯୋଗ ଆସିଛି ସମ୍ବଲପୁରର କୁଚିଣ୍ଡା ଉପଖଣ୍ଡ ମହୁଳପାଲି ଥାନା ଅଞ୍ଚଳରୁ ।
ବଇଲି ମାଝୀ । ବୟସ ପ୍ରାୟ 55 । ଘର କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ କେସେଇବାହାଲ ଗାଁ । ହେଲେ ଆଜି ଏକ ଅଭିଯୋଗ ଆଣି ପହଞ୍ଚିଥିଲେ ଜିଲ୍ଲାପାଳଙ୍କ ନିକଟରେ । ତାଙ୍କ ସହିତ ଥିଲେ ତାଙ୍କର 22 ବର୍ଷୀୟ ଝିଅ । 25 ବର୍ଷ ପୂର୍ବେ ବଇଲି ଅନ୍ୟ ଜାତିରେ ବିବାହ କରିଥିବାରୁ ବହୁ ବର୍ଷ ପରେ ତାଙ୍କୁ ଗଣ୍ଡ ଜାତିରୁ 'ଉପର ବାମଣ୍ଡ ଷଡ଼ ବଂଶୀୟ ଗଣ୍ଡ ସମାଜ ପରିଷଦର ଷ୍ଟେଟ କମିଟି' ଜାତିରୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଫଳରେ ବଡ଼ ଝିଅର ବାହାଘର ଭାଙ୍ଗିଯାଇଥିବା ସହ ଆଉ ବିବାହ ଠିକ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି।