ସମ୍ବଲପୁର:ଶୌଚ ପାଇଁ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡି । ଲିଭିଗଲା ଦୁଇ ଜୀବନ ଦୀପ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡିରେ ଘଟିଛି ଏହି ଦୁର୍ଘଟଣା । ଏନେଇ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ । ତେବେ ମୃତ ମାନଙ୍କ ମଧ୍ୟରେ ଜଣେ ପାରୁଆଭାଡିର ମୁକ୍ତେଶ୍ଵର ଧାନ ଓ ଅନ୍ୟ ଜଣକ ପଣ୍ଡରିକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଆଜି ସକାଳୁ ଦୁଇ ଜଣ ଚାଲିବା ସହିତ ଶୌଚ ପାଇଁ ଯାଉଥିଲେ । ସେହି ସମୟରେ ଏକ ଅଜଣା ଗାଡି ଆସି ସେମାନଙ୍କ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ମୃତ୍ୟୁର ଖବର ପାଇ କ୍ଷତିପୂରଣ ଦାବିରେ ପରିବାର ଲୋକେ ୨୪ ନମ୍ବର ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇନଥିଲା । ତେବେ ପରେ ସମ୍ବଲପୁର କୁଚିଣ୍ଡା ତହସିଲଦାର ପ୍ରସନ୍ନ ଟେଟେ, କୁଚିଣ୍ଡା ବିଡ଼ିଓ ନିରଞ୍ଜନ ସା, ଏସଡିପିଓ ଅମିତାଭ ପଣ୍ଡା ଓ ଥାନା ଅଧିକାରୀ ଦିଲୀପ ସ୍ବାଇଁ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ତରଫରୁ ସହାୟତା ଯୋଗାଇ ଦେବାକୁ କଥା ଦେବା ପରେ ରାସ୍ତାରୋକ ହଟିଥିଲା ।