ସମ୍ବଲପୁର: ପୁଣି ଜୋର ଧରିଲା କୁଚିଣ୍ଡାକୁ ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ । ସମ୍ବଲପୁରର କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା କରିବା ପାଇଁ ବହୁ ପୂର୍ବରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ପୁଣି ଏହି ଦାବିରେ ବନ୍ଦ ପାଳନ ହେଉଛି । କୁଚିଣ୍ଡା ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ସହରରେ ଗାଡିମୋଟର ଚଳାଚଳ, ଦୋକାନ, ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ୍ କଲେଜ ସବୁ ବନ୍ଦ ରହିଛି । ତେବେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।
ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ କୁଚିଣ୍ଡା ସହରର ବିଭିନ୍ନ ସ୍ଥାନରେ ସକାଳୁ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ପୂର୍ବରୁ ବାରମ୍ବାର ଦାବି ପରେ ମଧ୍ୟ ରାଜ୍ୟ ସରକାର କୁଚିଣ୍ଡାକୁ ଜିଲ୍ଲା ଘୋଷଣା କରୁନଥିବା ଓ କୁଚିଣ୍ଡାକୁ ଅଣଦେଖା କରୁଥିବା ଅଭିଯୋଗ କରିଛି କ୍ରିୟାନୁଷ୍ଠାନ କମିଟି । ଏହି ଦାବିରେ ଆଜି ରାସ୍ତାକୁ ଓହ୍ଲାଇବା ସହିତ କୁଚିଣ୍ଡା ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଡାକରା ଦେଇଛି । ଏହି ବନ୍ଦ ପାଳନରେ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି । କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଆନ୍ଦୋଳନରେ ଯୋଗ ଦେଇ ଏହି ଦାବି ସମସ୍ତଙ୍କ ଅଟେ ଏବଂ ଜାତି ଧର୍ମ ଓ ରାଜନୈତିକ ଦଳ ଊର୍ଦ୍ଧ୍ବରେ ରହି ଏଥିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି l