ରାୟଗଡା: ଉତ୍କଳ ଆଲୁମିନା ଖଣି ଅଞ୍ଚଳରେ ପୁଣି ଦେଖା ଦେଇଛି ଉତ୍ତେଜନା । ଉତ୍କଳ ଆଲୁମିନା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ଅଣ୍ଡିରାକଞ୍ଚ ପୋଲିସ ୩୪ ମହିଳା ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଖଣି ଅଞ୍ଚଳର ମୁଖ୍ୟ ଫାଟକ ଏବଂ ଚନ୍ଦ୍ରଗିରି ଛକରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଖଣି ଅଞ୍ଚଳକୁ କୌଣସି ଗାଡ଼ିକୁ ଛାଡ଼ୁନଥିବାରୁ ଖଣି ଉତ୍ପାଦନରେ ମଧ୍ୟ ବାଧା ଦେଖାଦେଇଛି ।
ସୂଚନା ମୁତାବକ ଉତ୍କଳ ଆଲୁମିନାର ବଫଲା ମାଳି ଖଣି ଅଞ୍ଚଳରେ ନିଯୁକ୍ତ ଦାବୀରେ ପାଇକ କୁପାଖାଲ ଗ୍ରାମର ମହିଳା ଏବଂ ପୁରୁଷ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତ ୨ ତାରିଖରୁ ଏହି ଆନ୍ଦୋଳନ ଚାଲିଥିବା ବେଳେ ଖଣି ଅଞ୍ଚଳକୁ କୌଣସି କର୍ମଚାରୀ କିମ୍ବା ଅଧିକାରୀଙ୍କୁ ଛାଡ଼ୁନାହାଁନ୍ତି । ଫଳରେ ଖଣିରେ ଫସି ରହିଥିବା କର୍ମଚାରୀଙ୍କୁ ଖାଦ୍ୟ ଏବଂ ଔଷଧ ନେଇ ଗତ ସନ୍ଧ୍ୟାରେ ଖଣିର ମ୍ୟାନେଜର ସୁକାନ୍ତ ମହାପାତ୍ର ଏକ ଗାଡ଼ିରେ ନିଜ ସହୋଯୋଗୀଙ୍କ ଯାଉଥିଲେ । ଏହି ସମୟରେ ଆନ୍ଦୋଳନକାରୀ ଖଣି ଅଞ୍ଚଳକୁ ଯିବା ବାଟରେ ତାଙ୍କୁ ଟଣା ଓଟରା କରିବା ସହ ମାଡ଼ମାରିଛନ୍ତି ବୋଲି ମ୍ୟାନେଜର ଅଣ୍ଡିରାକଞ୍ଚ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ପାଇକ କୁପାଖାଲ ଗ୍ରାମର ୩୪ ଜଣ ଆନ୍ଦୋଳନକାରୀ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।