ରାୟଗଡା: ଶିକ୍ଷାର କିମ୍ବା ସଚେତନତାର ଘୋର ଅଭାବ ହେଉ ରାୟଗଡ଼ା ଜିଲ୍ଲାରେ ଅନ୍ଧବିଶ୍ବାସର ଶିକାର ହେଉ କିଛି ମାସ ଅନ୍ତରରେ ଗଡ଼ିଚାଲିଛି ନୀରିହ ଲୋକଙ୍କ ମୁଣ୍ଡ । ଏହାର କାରଣ ପାହାଡ ଉପତ୍ୟାକାରେ ଖୁନ୍ଦିହୋଇ ରହିଛି ଅନ୍ଧବିଶ୍ବାସ । ଅପସଂସ୍କୃତି ଜନ ମାନସରୁ ପୋଛାଯାଇପାରୁନାହିଁ । ତେଣୁ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହିଥିବା ଗାଁ ଗାଁରେ ଅନ୍ଧବିଶ୍ବାସ ଶାସନ କରୁଛି । ଆଉ ଏହି କୁସଂସ୍କାର ବଶିଭୂତ ହୋଇ ଏକ ନିୟମିତ ବ୍ୟବଧାନରେ ପେଷଣ, ଗୁଣିଆ ନାମରେ ଜିଲ୍ଲାରେ ନରସଂହାର ଚାଲିଛି । ଏଭଳି ଏକ ଘଟଣାର ପୁନରାବୃତି ହୋଇଛି ।
ଗୁଣିଗାରିଡ଼ି ସନ୍ଦେହରେ ଦୁଇଟି ମୁଣ୍ଡ ଗଡ଼ିବାପରେ ପ୍ରଶାସନର ଚିନ୍ତା ବଢ଼ିଲା
ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡ଼କସାପାଡ଼ୁ ଗାଁରେ ଗତ କାଲି ରାତି ବଡ଼କସାପାଡ଼ୁ ଗାଁର ଯଦୁମଣି ମଣ୍ଡାଙ୍ଗି ତାର ଝିଅକୁ ଗୁଣିକରି ମାରିଦେଇଥିବା ପାଇଁ ଯୋଜନା କରୁଥିବା ସନ୍ଦେହରେ ସେହି ଗାଁର ନିଜ ପୁତୁରା ପ୍ରେମାନନ୍ଦ ମାଣ୍ଡାଙ୍ଗି ପାହାଡ଼ରୁ ଘୋସାରି ଆଣି ଛୁରି ଭୁସି ହତ୍ୟା କରିଛି । ପରେ ସେଠାରୁ ଅଧ କିଲୋମିଟର ଦୂରରେ ରହୁଥିବା ପ୍ରେମାର ନିଜ ଶ୍ଶୁର ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହରେ ଲୋହରା ଶାଳରେ କାମ କରୁଥିବା ଶ୍ବଶୁର ପୋଲି ତାଡ଼ିଙ୍ଗିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଅଭିଯୁକ୍ତ ପ୍ରେମାନନ୍ଦ । ସେଠାରୁ ପ୍ରେମାନନ୍ଦ ଫେରାର ହେବା ସମୟରେ ଗାଁ ଲୋକେ ଧରି ପୁଲିସର ଜିମା ଦେଇଛନ୍ତି । ତେବେ ଅନ୍ଧବିଶ୍ବାସକୁ ନେଇ ଗତ ୪ ବର୍ଷ ମଧ୍ୟରେ ଏହାକୁ ମିଶାଇ ରାୟଗଡା ଜଲ୍ଲାରେ ୬୨ଟି ମାମଲା ରେଜିଷ୍ଟ୍ର ହୋଇଛି । ଅସ୍ବାଭାବିକ ମୃତ୍ୟୁକୁ କୁସଂସ୍କାରର ବସବର୍ତୀ ହୋଇ ଗୁଣି ଗାରିଡ଼ି ସନ୍ଦେହରେ କାହାକୁ ନା କାହାକୁ ନୃଶଂସ ହତ୍ୟା କରାଯାଉଛି ।
ସେହିପରି ୪ ବର୍ଷ ତଳେ ରାୟଗଡା ବ୍ଳକ ଅନ୍ତର୍ଗତ ନାଥମା ଗାଁ ମୁଣ୍ଡରେ ଥିବା କୁଡିଆରୁ ଲତରା ପିଡିକା ଏବଂ ଆପୁଡୁଙ୍କୁ ମେଲେକା ୨ଜଣଙ୍କୁ ବାନ୍ଧି ଘୋଷାରି ଘୋଷାରି ନେଇ ହତ୍ୟାକରି ପୋଡ଼ି ଦିଆଯାଇଥିଲା । ସେହିପରି ଶେଷଖାଲ ଥାନା ଅନ୍ତର୍ଗତ ଚାଚଂଡାଡ୍ରୁଗମ ଗାଁରେ କିଛି ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ ପରେ ସେହି ଗାଁର ଦେକିନା ତାଡିଙ୍ଗିକୁ ଗୁଣିଆ ସନ୍ଦେହରେ ହତ୍ୟା କରି ଥିଲେ । କେବଳ ରାୟଗଡା ନୁହେଁ ବିଷମକଟ, ମୁନିଗୁଡା, କୋଲନରା, ଗୁଡାରୀ ଆଦି ବ୍ଲକର ଦୁର୍ଗମ ଇଲାକାରେ ଅନ୍ଧବିଶ୍ବାସକୁ ଆପଣାଇ ଲୋକେ ନୃଶଂସ ହତ୍ୟା କରିବାକୁ ପଛାଉନଥିବା ସ୍ପଷ୍ଟ ବାରିହେଉଛି । ତେବେ ଗୁଣପୁର ଉପଖଣ୍ଡ ଚିନ୍ତାଲଗୁଡା ଏବଂ କିନ୍ତୁଙ୍ଗ ଗ୍ରାମ , ହୁକୁମ୍ବାଗୁଡା ବର୍ତମାନ ସୁକୁଳାଭଟ୍ଟାରେ ହୋଇଥିବା ହତ୍ୟା ଜିଲ୍ଲାର ଜନ ସଚେତନତା ପାଇଁ କାଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟ ପଦ୍ଧତି ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଏଭଳି ଅନେକ ମାମଲାରେ ମଧ୍ୟ କୋର୍ଟର କଡ଼ା ରାୟ ରହିଛି ଅନେକଙ୍କ ଆଜିବନ କାରାଦଣ୍ଡ ମଧ୍ୟ ଶୁଣାଯାଇଛି । ୨୦୧୬ ସେପଟେମ୍ବର ୯ ତାରିଖ ପୁଟାସିଙ୍ଗ ଥାନା କିତୁଂ ଗ୍ରାମରେ ଘଟିଥିବା ମାମଲାର ରାୟ ପ୍ରକାଶ କରି ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୯ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଚାଞ୍ଚଡ଼ାଡ୍ରୁଗମ ମାମଲାରେ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । ତା ସତ୍ବେ ଅନେକଙ୍କ ମାମଲା ଏବେ ମଧ୍ୟ ବିଚରାଧୀନ ଅଛି। ଜେଲର ଚାରିକାନ୍ଥ ଭିତରେ ରହି ଅନେକ ପଶ୍ଚାତାପ କରୁଛନ୍ତି ତଥାପି ଜିଲ୍ଲାରେ କମୁନି ଗୁଣିଗାରେଡ଼ି ମାମଲା ।
ଜିଲ୍ଲାରେ ଶିକ୍ଷା ଓ ସଚେତନତାର ଅଭାବରୁ ଗୁଣିଗାରେଡ଼ି ନାମରେ ଗଡ଼ି ଚାଲିଛି ନିରୀହ ଲୋକଙ୍କ ମୁଣ୍ଡ । କଠୋର ଦଣ୍ଡାଦେଶ, କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଗ୍ରାମାଞ୍ଚଳରୁ ଦୂର ହୋଇପାରୁନି ଅନ୍ଧବିଶ୍ବାସ। ଯାହା ଗତକାଲି ଶେଷଖାଲ ଥାନା ବଡକଷପାଡ଼ୁ ଗ୍ରାମରେ ୨ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରୁ ସ୍ପଷ୍ଟ ହୋଇଛି ।
ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ