ରାୟଗଡା: ଆଜି(ଗୁରୁବାର) ରାୟଗଡା ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଏହି ଅବସରରେ ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେବା ସହ ଜିଲ୍ଲାରେ ଜଳ ସମ୍ପଦ ବିଭାଗ ଦ୍ବାରା ସେଚ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି ।
ଜଳ ସମ୍ପଦ ମନ୍ତ୍ରୀଙ୍କ ରାୟଗଡା ଗସ୍ତ ବୈଠକରେ ସମ୍ପୂର୍ଣ୍ଣ ହୋଇଯାଇଥିବା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ବିଷୟରେ ବିସ୍ତୁତ ଆଲୋଚନା କରିବା ସହ ଉଠା ଜଳସେଚନ ଏବଂ ବୃହତ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ ।
ଏହାସହ ଯେକୌଣସି ଜଳସେଚିତ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମତାମତ ନେଇ ପ୍ରକଳ୍ପ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନୁସୂଚିତ ଜାତି ଏବଂ ଜନଜାତି ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଜିଲ୍ଲାରେ ଅନେକ ଗାଁରେ ଲୋକଙ୍କୁ ନ ପଚାରି ଏବଂ ଲୋକଙ୍କ ଆବଶ୍ୟକତାକୁ ବିଚାର କରାନଯାଇ ସେଚ ପ୍ରକଳ୍ପ ହେଉଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ ।
ରାୟଗଡା ଜିଲ୍ଲାରେ ବର୍ତମାନ ସୁଦ୍ଧା 26 ପ୍ରତିଶତ ଚାଷ ଜମିକୁ ଜଳସେଚନ ହୋଇଥିବା ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଏହାକୁ ଆଗାମୀ ଦିନରେ 35 ପ୍ରତିଶତକୁ କିପରି ବୃଦ୍ଧି କରିହେବ ସେନେଇ ଉପସ୍ଥିତ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ