ରାୟଗଡା:ଖରା ଆରମ୍ଭରୁ ଜଳ ଚିନ୍ତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ରାୟଗଡ଼ା ବ୍ଲକ ବୈରାଗିହାଲୁଆ ପଞ୍ଚାୟତର ବ୍ରାହ୍ମଣହାଲୁଆ ଗାଁରେ ଦେଖାଦେଇଛି ଜଳକଷ୍ଟ । ଗ୍ରାମରେ ୧୬ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ରହିଛି ଗୋଟିଏ ନଳକୂପ। ଯେଉଁଥିରୁ ୨୪ ଘଣ୍ଟାରେ ବାହାରୁଛି ମାତ୍ର ୧୦ ହାଣ୍ଡି ପାଣି। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ।
ଗ୍ରୀଷ୍ମ ଆରମ୍ଭରୁ ଗାଁରେ ଜଳକଷ୍ଟ ଦେଖା ଦେଇଥିବା ବେଳେ ନଳକୂପ ଅଭାବରୁ ଗାଁଲୋକ ପାଳି କରି ପାଣି ନେଉଛନ୍ତି । ଏହା ଦିନେ କି ଦୁଇଦିନ ନୁହଁ, ବରଂ ବର୍ଷବର୍ଷ ଧରି ଏହି ଗାଁରେ ଜଳ କଷ୍ଟ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଆବଶ୍ୟକ ନଳକୂପ ଖନନ କିମ୍ବା ଗାଁରେ ଥିବା ଗୋଟିଏ ନଳକୂପର ମରାମତି କରୁନି ।
ରାୟଗଡ଼ା ଜିଲ୍ଲା ସଦର ମହକୁମା ୧୫ କିମି ଦୂରରେ ରହିଛି ଏହି ଗାଁ । ଗ୍ରାମରେ ୧୬ଟି ପରିବାରର ପାଖାପାଖି ୬୨ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି । ସମସ୍ତେ ଆଦିବାସୀ ସମ୍ପ୍ରଦାୟର । ଗାଁଠୁ ୫୦ ମିଟର ଦୂରରେ ନାଗାବଳୀ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଜଳ ପ୍ରଦୂଷିତ କାରଣରୁ ବ୍ୟବହାର ଯୋଗ୍ୟ ନୁହଁ । ପାଖରେ କୌଣସି ଝରଣା ଟିଏ ନଥିବାରୁ ପାନୀୟ ଜଳର ଏକମାତ୍ର ମାଧ୍ୟମ ପାଲଟିଛି ନଳକୂପ ।