ରାୟଗଡା:ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲା । ଆଜିକୁ ତିନିଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ରାୟଗଡା ଜିଲ୍ଲା କୋଳନରା ବ୍ଲକ ଅନ୍ତର୍ଗତ କାର୍ତ୍ତିକଗୁଡା ଗ୍ରାମରେ ପାହାଡି ଝରଣାର ପାଣି ପଶି ଗ୍ରାମରେ ଲହଡି ଭାଙ୍ଗୁଛି । ତେବେ ଦୁଇ ପରିବାରର ଘର କାନ୍ଥ ପଡି ଯାଇଥିବା ବେଳେ ଅନେକ ଘରେ ପାଣି ପଶି ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ନେଇ ଜଣାପଡିଛି ।
ସୂଚନା ଅନୁସାରେ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ବାସହରା ହୋଇଛନ୍ତି ଦୁଇ ପରିବାର । ଗ୍ରାମର ଲକ୍ଷ୍ମଣ ପ୍ରାସ୍କା ଓ ନାରାୟଣ ପ୍ରାସ୍କା ନାମକ ଦୁଇ ଜଣଙ୍କ ଘରର କାନ୍ଥ ଭୁଶୁଡି ପଡିଯାଇଥିବା ବେଳେ ଅନେକଙ୍କ ଘରେ ଝରଣା ପାଣି ପଶି ଯାଇଛି । ତେବେ ଆଜି ଲଗାଣ ବର୍ଷା ଯୋଗୁଁ ହଠାତ ଲକ୍ଷ୍ମଣ ପ୍ରାସ୍କା ଓ ନାରାୟଣ ପ୍ରାସ୍କାଙ୍କ ଘରର କାନ୍ଥ ଘର ବାହାର ପଟକୁ ପଡି ଯାଇଥିଲା । ଏହି ଶବ୍ଦ ଶୁଣି ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ ପରିବାର ଲୋକେ । ଏପରିକି ପରିବାର ଲୋକେ କିଛି ବୁଝିବା ପୂର୍ବରୁ ଘରର ଆସବାପତ୍ର ଓ ଖାଇବା ସାମଗ୍ରୀ ସବୁ ଧୋଇହୋଇ ଯାଇଥିଲା ।