ରାୟଗଡ଼ା:ରେଳମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାୟଗଡ଼ା ରେଳ ଷ୍ଟେସନ୍ ପରିଦର୍ଶନ କଲେ ରେଳ ଡିଭିଜନ୍ ଡିଆରଏମ । ରାୟଗଡାକୁ ପୂର୍ବତଟ ରେଳ ଡିଭିଜନର ମାନ୍ୟତା ମିଳି ଇତିମଧ୍ୟରେ 1 ବର୍ଷରୁ ଅଧିକ ସମୟ ବିତିଛି । ରେଳ ଷ୍ଟେସନର ଭିତ୍ତିଭୂମୀ ନିର୍ମାଣ ପାଇଁ 2020 କେନ୍ଦ୍ରୀୟ ରେଳ ବଜେଟରେ 170 କୋଟି ଟଙ୍କାର ବ୍ୟୟବରାଦ କରାଗଲା । କିନ୍ତୁ ମହାମାରୀ କୋରୋନା ଯୋଗୁଁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି । ଆସନ୍ତା ଅଗଷ୍ଟ 17 ତାରିଖରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାୟଗଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି ।
ଏଥିପାଇଁ ପୂର୍ବତଟ ରେଳ ବିଭାଗ ବେଶ୍ ତତ୍ପର ହୋଇଉଠିଛି । ଶୁକ୍ରବାର ରେଳ ରାୟଗଡ଼ା ଷ୍ଟେସନର ସ୍ଥିତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ୱାଲଟିୟର୍ ଡିଭିଜନ ଡିଆରଏମ୍ ଅନୁପ କୁମାର ଶତପଥୀ ରାୟଗଡ଼ା ଗସ୍ତରେ ଆସିଛନ୍ତି । 3 ଦିନ ପୂର୍ବେ ଦାୟିତ୍ବ ନେବା ପରେ ଶୁକ୍ରବାର ରାୟଗଡାରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବରିଷ୍ଠ ବାଣିଜ୍ୟିକ ଅଧିକାରୀ ଓ ବୈଷୟିକ ଅଧିକାରୀଙ୍କୁ ନେଇ ସେ ଷ୍ଟେସନ ପରିଦର୍ଶନ କରିବା ସହ ଡିଭିଜନ୍ ପାଇଁ ନିର୍ମାଣ ହେଉଥିବା ବିଭିନ୍ନ କୋଠାକୁ ଅନୁଧ୍ୟାନ କରିଛନ୍ତି ।