ରାୟଗଡା:ଜୀବନ ଥିଲା ବେଳେ କମ୍ପାନୀ ଧୂଆଁ, ଧୁଳି ଲୋକଙ୍କୁ ହନ୍ତସନ୍ତ କରୁଛି । ମୃତ୍ୟୁ ପରେ ମୃତଦେହ ଦାହ କରିବା ମଧ୍ୟ ଆତ୍ମୀୟ ସ୍ୱଜନଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡିମୁଣ୍ଡି ଗାଁରେ । ଭରା ନଦୀରେ ରଶି ସାହାଯ୍ୟରେ ଅଣ୍ଟାଏ ପାଣିରେ କୋକେଇ ପାରି କରିଛନ୍ତି ଆତ୍ମୀୟ ସ୍ୱଜନ ।
ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲାର ଡିମୁଣ୍ଡି ଗାଁର ସନ୍ତୋଷ ନାଏକ ନାମକ ଜଣେ ବ୍ୟକ୍ତି ଗତକାଲି ପାରିବାରିକ ଅଶାନ୍ତିରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ ଜାତି ଭାଇ ଓ ବନ୍ଧୁବାନ୍ଧଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ନଈ ପାରି ହେବାକୁ ପଡିଛି । ମୃତଦେହକୁ ସଂସ୍କାର ପାଇଁ ଭରା ନଦୀ ଦେଇ ପ୍ରାୟ ପାଞ୍ଚ କିଲୋମିଟର ବାଟ କାନ୍ଧେଇ ନେବା ପରେ ନଦୀ ଆରପାରିରେ ଥିବା ଶ୍ମଶାନରେ ଦାହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ - ଉତ୍କଳ ଆଲୁମିନା କାରଖାନା ବିରୋଧରେ ଗର୍ଜିଲା କଂଗ୍ରେସ
ଆଲୁମିନା କମ୍ପାନୀ ସ୍ଥାପନରେ ଲୋକେ ଦୁଃଖ ଦୁର୍ଦ୍ଦଶା ଦୂର ହେବା ଆଶାରେ ଗ୍ରାମବାସୀ ନିଜର ଜମି ବାଡ଼ି ଏପରିକି ଗାଁର ଶ୍ମଶାନ ଜମିକୁ ମଧ୍ୟ ସମର୍ପି ଦେଇଥିଲେ । ଗତ ଦିନରେ ଗ୍ରାମବାସୀ କାରଖାନା ଭିତର ଦେଇ ଶବ ସତ୍କାର ପାଇଁ ମଶାଣିକୁ ଯାଉଥିଲେ । ହେଲେ ଉତ୍କଳ ଆଲୁମିନା କାରଖାନାର ଚାରିପଟେ ପାଚେରି ନିର୍ମାଣ ଫଳରେ ଗ୍ରାମବାସୀଙ୍କୁ ବୁଲି ଯିବାକୁ ପଡୁଛି । କାରଖାନାର ପାଚେରୀ ପାଖରେ ଏହି ଗାଁଟି ରହି ଥିବାରୁ କାରଖାନାର ଧୂଳି, ଧୂଆଁ ଘର ଭିତରେ ପଶୁଛି । ବିସ୍ଥାପିତ ହେବା ପାଇଁ ପ୍ରଶାସନ ସହିତ କମ୍ପାନି କର୍ତ୍ତୃପକ୍ଷଙ୍କ ଠାରେ ଗ୍ରାମବାସୀ ଗୁହାରି କରୁଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି । ଅନ୍ତତଃ ଶ୍ମଶାନ ଘାଟକୁ ଯିବା ପାଇଁ ନଦୀ ଉପରେ ପୋଲଟିଏ ନିର୍ମାଣ ପାଇଁ ଗୁହାରି କରୁଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନଥିବା ଗ୍ରାମବାସୀ କହିଛନ୍ତି ।
ପ୍ରକାଶ ଥାଉକି, ଗତ କିଛି ମାସ ପୂର୍ବେ ଉତ୍କଳ ଆଲୁମିନା ଆଗରେ ୬ ଦଫା ଦାବି ନେଇ ବିକ୍ଷୋଭ କରିଥିଲା କଂଗ୍ରେସ । କମ୍ପାନୀର ପ୍ରତିରୋଧ ଏବଂ ପୋଲିସ ପ୍ରଶାସନର କଟକଣା ସତ୍ତ୍ୱେ କମ୍ପାନୀ କ୍ଷତିଗ୍ରସ୍ତ, ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହିତ ବ୍ଲକର ବିଭିନ୍ନ ସ୍ଥାନରୁ ଦୁଇ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ରାୟଗଡା