ସମ୍ବଲପୁର/ଭୁବନେଶ୍ବର : ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ମାନସୀଙ୍କ ସହଯୋଗୀ ମୁକେଶ ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ୟୁନିଟ୍ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ମହିଳା ଇନ୍ସିପେକ୍ଟର ଲାଞ୍ଚ ନେଉଥିବା ଅଭିଯୋଗରେ ଧରାପଡ଼ିଥିଲେ । ତାଙ୍କୁ ନିଜ ବିଭାଗର ଅଧିକାରୀ ହିଁ ଧରିଥିଲେ । ମହିଳା ଇନସପେକ୍ଟର ମାନସୀ ଜେନାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଅଭିଯୋଗ ବାରମ୍ବାର ଆସୁଥିଲା । ତାଙ୍କ ଉପରେ ସତର୍କ ନଜର ରଖିଥିଲେ ବିଭାଗୀୟ ଭିଜିଲାନ୍ସ ୟୁନିଟ । ଏନେଇ ଆଜି ସମ୍ବଲପୁରରେ କଟକ ଭିଜିଲାନ୍ସ ସେଲର ଏସପି ଏମ୍.ରାଧାକୃଷ୍ଣନ ସୂଚନା ଦେଇଛନ୍ତି ।
ବରଗଡ଼ର ଜଣେ ଦଲାଲ ମୁକେଶ ସାହୁଙ୍କ ଜରିଆରେ ସେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ପ୍ରଥମେ ମୁକେଶ ସାହୁଙ୍କୁ ଧରିଥିଲା ଭିଜିଲାନ୍ସ । ଜଣେ ସରକାରୀ କର୍ମଚାରୀଙ୍କ ମାମଲା ରଫାଦଫା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡ଼ିବା ପରେ ସମ୍ପୃକ୍ତ ମହିଳା ଇନସପେକ୍ଟର ମାନସୀ ଜେନାଙ୍କ ନିକଟରେ ପହଁଞ୍ଚି ଥିଲେ ଭିଜିଲାନ୍ସ ଅଧିକାରୀ । ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଆରମ୍ଭ ହୋଇଛି । ଉଭୟ ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ ।