ରାୟଗଡ଼ା:ଘରୋଇ ନର୍ସିଂହୋମ୍ରେ ନିଖୋଜ ହେଲା ଦୁଇମାସର ଶିଶୁ । ରାୟଗଡ଼ା କାରୁବାଇ ଗାଁରୁ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏକ ଜଣାଶୁଣା ଘରୋଇ ନର୍ସିଂହୋମ୍ରେ ଶିଶୁଟି ଚିକିତ୍ସିତ ହେଉଥିଲା । ତେବେ ବର୍ତ୍ତମାନ ଶିଶୁଟିରୁ ମୃତ୍ୟୁ ହୋଇଯାଇଥିବା କଥା କହୁଛନ୍ତି ନର୍ସିଂହୋମ ଡାକ୍ତର । ଏହାକୁ ନେଇ ଏକ ଭିଡିଓ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।
ଦୁଇ ମାସ ପୂର୍ବେ କାରୁବାଇ ଗାଁର ରାଇ ସିଂଙ୍କ ପତ୍ନୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଜନ୍ମ ଦେବାର କିଛି ସମୟ ପରେ ରାଇ ସିଂଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇ ପଡ଼ିଥିଲା । ଗ୍ରାମବାସୀ ଶିଶୁଟିକୁ ଆଶା ଦିଦି ଓ ANMଙ୍କ ନିକଟକୁ ନେବାରୁ ତାକୁ ଏକ ଘରୋଇ ନର୍ସିଂହୋମ୍ରେ ଭର୍ତ୍ତି କରାଇବାକୁ କହିଥିଲେ । ରାଇ ସିଂ ଚିକିତ୍ସା କରାଇବାରୁ ଅସମର୍ଥ ହେବାରୁ ANMଙ୍କ ମୁତାବକ ଗ୍ରାମବାସୀ ଚାନ୍ଦା ଆଦାୟ କରି ଶିଶୁଟିକୁ ଘରୋଇ ନର୍ସିଂହୋମ୍ରେ ଭର୍ତ୍ତି କରିଥିଲେ ।
ଆଶା ଦିଦି ୫ଦିନ ପରେ ସୁସ୍ଥ ଶିଶୁଟିକୁ ନେବାକୁ ଆସିଥିବା ବେଳେ ଚିକିତ୍ସା ବାବଦକୁ ଘରୋଇ ନର୍ସିଂହୋମ ଡାକ୍ତର ୩୭ ହଜାର ୫ଶହ ଟଙ୍କା ମାଗିଥିଲେ । ଟଙ୍କା ପୈଠ ନକଲେ ଶିଶୁଟିକୁ ଦିଆଯିବ ନାହିଁ ବୋଲି କହିଥିଲେ ନର୍ସିଂହୋମ ଡାକ୍ତର । ଦୁଇ ଦିନ ମଧ୍ୟରେ ଟଙ୍କା ଯୋଗାଡ଼ କରି ଦେବାକୁ ତାଗିଦ କରିଥିଲେ ଡାକ୍ତର ।