ରାୟଗଡା:ଘରଡିହ ଶୂନ୍ୟ ହିତାଧିକାରୀଙ୍କ ମୁହଁରେ ଫୁଟିଛି ହସ। ଦୀର୍ଘ ଦିନର ଅପେକ୍ଷା ପରେ ବସୁନ୍ଧରା ଯୋଜନାରେ ରାଜସ୍ବ ବିଭାଗ ପକ୍ଷରୁ ୯୯ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି। ରାମନାଗୁଡ଼ା ତହସିଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ରାମନାଗୁଡ଼ା ସର୍କଲ ପୁର୍ତ୍ତିଗୁଡ଼ାର ୨୧, ଓମଡିଙ୍ଗ୍ ସର୍କଲ୍ ନିଲମଗୁଡ଼ା ଗାଁର ୧୦, ନାଲପଣ୍ଡାର ୧୪, ଉକ୍କମ୍ବା ସର୍କଲ ପୁଜାରୀଗୁଡାର ୧୩, କୁଜେନ୍ଦ୍ର ସର୍କଲ କୁଜେନ୍ଦ୍ରୀର ୨୯, ପେଣକାମର ୧୨ ହିତାଧିକାରୀ ଘରଡିହ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
କୋଭିଡ଼୍ କଟକଣା ଦୃଷ୍ଟିରୁ କେବଳ ରାମନାଗୁଡ଼ା ସର୍କଲର ୨୧ ହିତାଧିକାରୀଙ୍କୁ ତହସିଲ କାର୍ଯ୍ୟାଳୟକୁ ଡକାଯାଇ ପଟା ବଣ୍ଟନ କରାଯାଇଛି। ଅନ୍ୟ ହିତାଧିକାରୀଙ୍କ ନିଜ ଗାଁକୁ ଯାଇ ଆଜି(ସୋମବାର) ସଂଧ୍ୟା ସୁଦ୍ଧା ପଟ୍ଟା ବଣ୍ଟନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି।