ରାୟଗଡ଼ା: ରାୟଗଡାରେ ପୁଣି ଜଣେ ଋଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ହେଲେ ଆଣ୍ଟୋନା ପାଭେଲୁ(୬୫) । ସେ ରାୟଗଡ଼ାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ରହୁଥିଲେ । ଶନିବାର ଦିନ ହୋଟେଲ ଛାତରୁ ଡେଇଁ ସେ ଜୀବନ ହାରିଥିବା କୁହାଯାଉଛି । ତେବେ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ଦୁର୍ଘଟଣା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ପାଇ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା, ଏସଡିପିଓ ଓ ଆଇଆଇସି ସମେତ ପୋଲିସ ଟିମ୍ ହୋଟେଲରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି ।
ସୂଚନା ମୁତାବକ, ରାୟଗଡା ଜିଲ୍ଲା ବୁଲିବା ପାଇଁ ଋଷିଆରୁ ଆସିଥିବା ପର୍ଯ୍ୟଟକ ଆଣ୍ଟୋନା ପାଭେଲ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହୁଥିଲେ । ଶନିବାର ଦିନ ରହୁଥିବା ରୁମ୍ରେ ଖୋଜାଖୋଜି କରିବା ସମୟରେ ତାଙ୍କର ଦେଖା ମିଳିନଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍ ସାରା ହୋଟେଲ ଖୋଜିବା ପରେ ଋଷୀୟ ପର୍ଯ୍ୟଟକ ଜଣକ ସେଠାରେ ଥିବା ଏକ ନିର୍ମାଣଧୀନ କୋଠା ତଳେ ପଡିଥିବାର ଦେଖିବାକୁ ମିଳିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଖବର ପାଇ ଏସପି ବିବେକାନନ୍ଦ ଶର୍ମା, ଏସଡ଼ିପିଓ ଦେବଜ୍ୟୋତି ଦାସ ଏବଂ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଅଧିକ ତଦନ୍ତ ପାଇଁ ମେଡ଼ିକାଲକୁ ଯାଇଥିଲେ । ତେବେ ପାଭେଲାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଦୁର୍ଘଟଣା ଜନିତ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଏସପି କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ''ଗତ ୨୨ ତାରିଖରେ ଜଣେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଆଜିର ମୃତକ ତାଙ୍କର ବାଲ୍ୟ ବନ୍ଧୁ ଅଟନ୍ତି । ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ନଚେତ ନିଜ ବନ୍ଧୁଙ୍କ କଥା ଚିନ୍ତା କରି ହୋଟେଲ ଛାତରୁ ଖସି ପଡ଼ି ଥାଇପାରନ୍ତି ।''
ଅପରପକ୍ଷରେ, ଗାଇଡ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ''କିଭଳି ଏହି ଘଟଣା ଘଟିଲା ତାହା ମୁଁ ଜାଣିନାହିଁ । ସନ୍ଧ୍ୟା ସମୟରେ ପାଭେଲା ଦେଖାନଯିବାରୁ ଖୋଜାଖୋଜି କରାଯାଇଥିଲା । ହୋଟେଲ ନିକଟରେ ନିର୍ମାଣଧୀନ ସ୍ଥାନରେ ତାଙ୍କୁ ପଡିଥିବାର ଦେଖିବା ପରେ ମେଡିକାଲ ଅଣାଯାଇଥିଲା ।'' ତେବେ ଦୁଇ ଦିନ ମଧ୍ୟରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ସୃଷ୍ଟି କରିଛି ।