ରାୟଗଡ଼ା:ପେଶାରେ ଡ୍ରାଇଭର ହେଲେ ନିଶା କିଛି କରି ଦେଖାଇବାର । ଦିନଟିଏ କାମକୁ ନ ଗଲେ ଘରେ ଚୁଲି ଜଳେନି । ମୁଣ୍ଡ ଉପରେ ବୃଦ୍ଧ ପିତାମାତା ସହ ପତ୍ନୀ ଓ ପିଲାଙ୍କ ସମେତ ୭ ପ୍ରାଣୀଙ୍କ ବୋଝ । ଗରିବ କଷାଘାତ ସତ୍ତ୍ବେ ନିଜ ଗାଁର ଦୁଃଖ ଦୂର କରିବା ପାଇଁ ଡ୍ରାଇଭର ବୃତ୍ତି ଛାଡି ପତ୍ନୀଙ୍କ ସୁନା ଗହଣା ବନ୍ଧକ ରଖି ନଦୀ ଉପରେ ତିନୋଟି ଅସ୍ଥାୟୀ ପୋଲ ସାଙ୍ଗକୁ ୪ କିଲୋମିଟର ରାସ୍ତା ନିର୍ମାଣ କରି ଅଞ୍ଚଳବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି (Truck Driver Ranjit Nayak built wooden poles)। ଏହି ମହାନ ବ୍ୟକ୍ତି ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲି ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଜରାମ ପଞ୍ଜରା ଗ୍ରାମର ରଞ୍ଜିତ ନାୟକ । ନିଜସ୍ବ ଉଦ୍ୟମରେ ସେ ଅସ୍ଥାୟୀ ପୋଲ ଓ ରାସ୍ତା ନିର୍ମାଣ କରିଛନ୍ତି । ଏହି ପୋଲ ନିର୍ମାଣ ପରେ ପଡ଼ୋଶୀ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସହିତ ଯୋଡ଼ି ହୋଇଛି ରାୟଗଡ଼ା ଜିଲ୍ଲା ।
ଯାତାୟାତରେ ସମସ୍ୟା ସାଜିଥିଲା ବିଛଳା ନଦୀ
କାଶୀପୁର ବ୍ଲକର ଗୁଞ୍ଜରାମପଞ୍ଜରା ଗ୍ରାମରେ ବସବାସ କରୁଛନ୍ତି ୧୨୦ ପରିବାର । ଗାଁ ନିକଟରେ ବହି ଯାଉଛି ବିଛଳା ନଦୀ । ପାହାଡିଆ ଅଞ୍ଚଳରେ ଥିବା ନଦୀରେ ବର୍ଷ ତମାମ ପାଣି ରହୁଥିବାରୁ ଯାତାୟାତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କୁ ଗୁହାରି କଲାପରେ କିଛି ବର୍ଷ ପରେ ମନେରେଗା ଯୋଜନାରେ ନଦୀ ଉପରେ ପୋଲ ଆରମ୍ଭ ହୋଇଥିଲା । କିନ୍ତୁ ତାହା ଅଧପାନ୍ତରିଆ ଅବସ୍ଥାରେ ପଡି ରହିଥିବାରୁ ଲୋକଙ୍କ ଦୁଃଖ ପାଲଟିଥିଲା ବିଛଳା ନଦୀ । ନଦୀ ଯୋଗୁଁ ଲୋକେ ପଞ୍ଚୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ମହକୁମା ଡାକ୍ତରଖାନା ସ୍କୁଲକୁ ନିୟମିତ ଭାବେ ଯାଇ ପାରୁନଥିଲେ । ବର୍ଷା ଦିନେ ଗ୍ରାମବାସୀ ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲେ ।
ଷ୍ଟିଅରିଂ ଛାଡ଼ି ଧରିଲେ କୋଡି କୋଦାଳ
ଗ୍ରାମର ଯୁବକ ରଞ୍ଜିତ ନାୟକ ଡ୍ରାଇଭର ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ କାମ ସାରି ଘରକୁ ଫେରିବା ବେଳେ ନଦୀ ପାଇଁ ହଇରାଣ ହରକତ ହେଉଥିଲେ । ପ୍ରଶାସନ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେଉନଥିବାରୁ ବର୍ଷା କମିବା ପରେ ନିଜ ଉଦ୍ୟମରେ ପୋଲ ନିର୍ମାଣ କରିବା କରିଥିଲେ । ଏଥିପାଇଁ ତାଙ୍କୁ ଡ୍ରାଇଭର କାମରୁ ଅବ୍ୟାହତି ନେବାକୁ ପଡିଥିଲା । ୩ଟି ସ୍ଥାନରେ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ରଞ୍ଜିତ ଯୋଜନା କରି ବାପାଙ୍କ ସହଯୋଗରେ ବାଉଁଶ ଓ କାଠ ସଂଗ୍ରହ ଆରମ୍ଭ କରିଥିଲେ ।