ରାୟଗଡ଼ା: କୋରୋନା ମହାମାରୀ ପ୍ରାୟ ସବୁକ୍ଷେତ୍ରକୁ ଦୋହଲାଇ ଦେଇଛି । କିନ୍ତୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଶିକ୍ଷାକ୍ଷେତ୍ର । ଯାହାର ସ୍ପଷ୍ଟଚିତ୍ର ଜିଲ୍ଲାର ସଦର ବ୍ଲକ ଗୁମ୍ମା ପଞ୍ଚାୟତ ରାଇକୋଣା ଓ ଡୁମାପାଇ ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠାରେ ଗରିବୀ ପରିସ୍ଥିତି ସାଙ୍ଗକୁ ନେଟୱର୍କ ସମସ୍ୟା ଯୋଗୁଁ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ । ପାଠପଢି ପାରୁନଥିବାରୁ ଦିନେ ରାଜଧାନୀର କିସେର ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ଦେଖିବାକୁ ମିଳୁଛି ଚାଷଜମିରେ । ସେମାନେ ବାପାଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରୁଥିବା କହିଛନ୍ତି ।
ଅର୍ଥ ସାଙ୍ଗକୁ ନେଟୱର୍କ ସାଜିଛି ବାଧକ, ଚାଷମୁହାଁ ରାୟଗଡ଼ାର ଆଦିବାସୀ ଛାତ୍ରଛାତ୍ରୀ ସରକାର ଅନଲାଇନ ଶିକ୍ଷା ଉପରେ ଗୁରୁତ୍ବ ଦେଉଥିବା ବେଳେ ବାଧକ ସାଜିଛି ଗରିବୀ ପରିସ୍ଥିତି । ଗୋଟିଏ ପଟେ ଲକଡାଉନ ସଟଡାଉନରେ ଗରିବଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ସରକାରଙ୍କ ଅନଲାଇନ ଏବଂ ୟ୍ୟୁଟୁବ ଶିକ୍ଷା ବୋଝ ଉପରେ ନଳିତା ବିଡ଼ା ସାଜିଛି । ଏହି ଗ୍ରାମର ଲୋକମାନେ ପେଟପାଟଣା ପାଇଁ ଭରସା କରନ୍ତି ଡଙ୍ଗଲ ଚାଷ ଉପରେ । ଆଉ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀମାନେ ଚାଷଜମିରେ ବାପାଙ୍କୁ ସାହାଯ୍ୟ କରୁଥିବା କହିଛନ୍ତି । ମହାମାରୀ ପ୍ରଭାବରେ ପିଲାଙ୍କୁ ମଣିଷ କରିବାର ସ୍ବପ୍ନ ଆଜି ସେମାନଙ୍କର ବ୍ୟର୍ଥ ହୋଇଛି । ଗରିବ ଆଦିବାସୀ ପିଲାଙ୍କ ଅନଲାଇନ ଶିକ୍ଷା ପାଲଟିଛି ସେମାନଙ୍କ ପାଇଁ ସାତ ସପନ।
କୋରୋନା କଟକଣା ଯୋଗୁଁ ସରକାର ଅନଲାଇନ ଶିକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି। ହେଲେ ଏଠାକାରବାସୀଙ୍କ ଆର୍ଥିକ ଅବସ୍ତା ସ୍ବଚ୍ଛଳ ନଥିବାରୁ ମୋବାଇଲଟିଏ ପିଲାଙ୍କୁ କିଣିକି ଦେବାରେ ଅସମର୍ଥ ବାପାମା' । ଫଳରେ ନିଜର ଛୁଆଙ୍କୁ ଶିକ୍ଷିତ କରାଇବା ସ୍ବପ୍ନ ଏବେ ଡଙ୍ଗର ଚାଷ ମୁହାଁ କରାଇଛି । ଏମାନଙ୍କୁ ଭଲ ମଣିଷଟିଏ କରି ଗଢିବା ପାଇଁ ଛୋଟବେଳୁ ଭୁବନେଶ୍ବର କିସରେ ପାଠ ପଢାଇଥିଲେ ଛାତ୍ରଛାତ୍ରୀ । ଲକଡାଉନ ଫଳରେ ଏବେ ଏମାନେ ପହଞ୍ଚିଛନ୍ତି ନିଜ ଗାଁରେ । ଫଳରେ ଜୀବିକା ପାଇଁ ଡଙ୍ଗର ଚାଷରେ ପରିବାରକୁ ସାହାଯ୍ୟ କରୁଛନ୍ତି କୁନି କୁନି ପିଲାଏ ।
ରାୟଗଡା ଜିଲ୍ଲାରେ ପ୍ରଥମରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢାକୁ ତ୍ବରିତ କରିବାକୁ ଉଦ୍ୟମ ଜାରି ରଖିଛି ଶିକ୍ଷା ବିଭାଗ। ତଥାପି ଜିଲ୍ଲାରେ ନେଟୱର୍କ ରହିଥିବା ସୀମିତ ଅଞ୍ଚଳର ମୋଟ 30 % ଛାତ୍ରଛାତ୍ରୀଙ୍କୁ ବାଦ ଦେଲେ 70 % ବଞ୍ଚିତ ହେଉଛନ୍ତି ଶିକ୍ଷାରୁ । ଯେଉଁ ଅଞ୍ଚଳରେ ନେଟୱର୍କ ସମସ୍ୟା ରହୁଛି ସେ ସ୍ଥାନକୁ ଶିକ୍ଷକ ନିଜେ ଯାଇ ଛାତ୍ରମାନଙ୍କୁ ଶିକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି । ଏଭଳି ସମୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ