ରାୟଗଡା: ବଡ ଠାକୁରଙ୍କ ଘୋଷଯାତ୍ରା । ବିଶ୍ବର କୋଣଅନୁକୋଣରେ ପାଳିତ ହୁଏ ଏହି ଯାତ୍ରା । ହେଲେ ରାୟଗଡାର ଗୁଣୁପୁରରେ ଏହା ଯାତ୍ରାର ସମ୍ପୂର୍ଣ୍ଣ ଭିନ୍ନ । ଏହି ଯାତ୍ରାକୁ ଏଠି କୃଷିଭିତ୍ତିକ ଯାତ୍ରା ଭାବେ ବିଶେଷକରି ଚାଷୀକୁଳ ପାଳନ କରିଥାନ୍ତି । ତେଣୁ ଏହି ରଥଯାତ୍ରା ଗୁଣପୁର ଅଞ୍ଚଳରେ ତଲାରୀ ଯାତ୍ରା ଭାବେ ବେଶ ପରିଚିତ ।
ଗୁଣପୁର କହିଲେ ଏଠି ଜଗନ୍ନାଥ ସସ୍କୃତି ଭରପୁର ହୋଇ ରହିଛି । ଏଠିକା ଆଦିମ ଅଧିବାସୀ ସୌରା ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ପୁରାଣ ବର୍ଣ୍ଣିତ ବିଶ୍ୱାବସୁଙ୍କ ବଶଂଧର ବୋଲି ନିଜକୁ ଦାବି କରୁଛନ୍ତି ଏମାନେ । ଅନେକ ଗୁଣପୁରର ରଥଯାତ୍ରାକୁ ସୈାରାଯାତ୍ରା ବା ତଲାରୀ ଯାତ୍ରା ଭାବେ ବିବେଚନା କରନ୍ତି । ଗୁଣପୁର ଅଞ୍ଚଳରେ ରଥଯାତ୍ରାକୁ ଦୁଇ ଭାଗରେ ବିଭକ୍ତ କରିଥାନ୍ତି । ଗୋଟିଏ କାଦୁଆ ଏବଂ ଅନ୍ୟଟି ଧୁଳିଆ । ଶ୍ରୀଗୁଣ୍ଡିଚା କିମ୍ବା ବାହୁଡ଼ା ଦିନ ବର୍ଷା ହେଲେ ସେହି ଦିନରୁ ଏଠିକା ଲୋକେ ଜିଲ୍ଲାରେ ମୋସୁମି ଆସିବା ଆକଳନ କରି ଚାଷ ବେଉସା ଆରମ୍ଭ କରିଥାନ୍ତି । ତେଣୁ ଏବେମଧ୍ୟ ଅନେକ କୃଷକ ଓ ଆଦିବାସୀ ସମ୍ପ୍ରଦାୟମାନେ ପ୍ରାୟତଃ ଚାଷକାମ ପାଇଁ ଯିବା ବେଳକୁ ତଲାରୀ ବ୍ୟବହାର କରିଥାନ୍ତି ।