ରାୟଗଡ଼ା:ରବିବାର ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାରେ ବଢୁଛି ମୃତାହତଙ୍କ ସଂଖ୍ୟା । ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ ମଧ୍ୟରେ ଦୁର୍ଘଟଣା ଫଳରେ 13 ଜଣଙ୍କ ଜୀବନ ଯାଇଛି । ସେହିପରି ୫୦ରୁ ଅଧିକ ଆହତ ହୋଇଛନ୍ତି । ଗୋଟିଏ ଟ୍ରେନ ରାୟଗଡ଼ା ଓ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବାବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟକାପଲ୍ଲୀ ମଧ୍ୟରେ ଦୁର୍ଘଟଣା ପରେ ଲାଇନଚ୍ୟୁତ ହୋଇଥିଲା । ୨ଟି ଟ୍ରେନର ମୋଟ ୪ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛିଡ଼ା ହୋଇ ରହିଥିବା ବିଶାଖାପାଟଣା-ପଲାସା ଟ୍ରେନକୁ ପଛ ପଟରୁ ଧକ୍କା ଦେଇଥିଲା ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ ।
ଫଳରେ ଉଭୟ ଟ୍ରେନର 4ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବିଶାଖାପାଟଣା ଠାରୁ ୩୪ କିଲୋମିଟର ଦୂରରେ ଏହି ଟ୍ରେନ ୨ଟି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୧୩ ଜଣ ମୃତ୍ୟୁବରଣ କରିଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ବିଜୟନଗରମ, ଆଲମଣ୍ଡା ଏବଂ ବିଶାଖାପାଟଣା କିଙ୍ଗ ଜର୍ଜ ହସପିଟାଲରେ ଭର୍ତ୍ତି କରାଯାଇଛି । ବିଶାଖପାଟଣା - ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ ବିଶାଖାପାଟଣା - ପଲାସା ଟ୍ରେନର ଗାର୍ଡ କେ. କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ତେବେ ବର୍ତ୍ତମାନସୁଦ୍ଧା ଓଡିଶାର କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ । ରବିବାର ରାତିଠାରୁ ଘଟଣାସ୍ଥଳରେ ବିଶାଖାପାଟଣା ଡିଭିଜନ ଡିଆରଏମ ସୌରଭ ପ୍ରସାଦ ପହଞ୍ଚିଥିବାବେଳେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହା ସହିତ ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଜାରି ହୋଇଥିବା ହେଲ୍ପ ଲାଇନ୍ ନମ୍ବର୦୬୮୫୬-୨୨୩୪୦୦, ୯୪୩୯୭୪୧୦୭୧, ୭୩୨୬୮୧୨୯୮୬। ବର୍ତ୍ତମାନ ରାୟଗଡ଼ା ଓ ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଛି ।