ରାୟଗଡ଼ା: ଦୁଇଟି ଅଟୋ ସହ ଧକ୍କା ହେଲା ବାଇକ । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ 15 ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡିକରଳ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ମୃତକ କୁଚେଇପଦର ପଞ୍ଚାୟତର ଡି.କୋରଳ ଗ୍ରାମର ଗଣେଶ ଝୋଡିଆ ବୋଲି ଜଣାପଡ଼ିଛି। ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଗଣେଶ କୌଣସି କାମରେ ଏକ ବାଇକରେ ନୂଆପଡ଼ା ଅଭିମୁଖେ ଯାଉଥିଲେ। ତେବେ ଏକ ଅଟୋକୁ ଓଭର ଟେକ କରିବା ପ୍ରୟାସ ବେଳେ ସାମ୍ନାପଟୁ ଏକ ଅଟୋ ସହ ଧକ୍କା ହୋଇଯାଇଥିଲା । ଘଟଣାସ୍ଥଳରେ ଦୁଇଟି ଅଟୋ ଓଲଟି ପଡ଼ିଥିବାବେଳେ ବାଇକ ଆରୋହୀ ମଧ୍ୟ ଏଥିରୁ ବର୍ତ୍ତି ପାରିନଥିଲେ। ଫଳରେ ଘଟଣାସ୍ଥଳରେ ଗଣେଶଙ୍କ ମୃତ୍ୟୁ ହୋଇଥିଲା।