ରାୟଗଡା: ସର୍ବଭାରତୀୟ ସ୍ତରରେ ଶ୍ରମିକ ସଂଗଠନ(Trade unions strike) ତରଫରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରାୟଗଡା ଜିଲ୍ଲା ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ । ସହରର ବ୍ୟସ୍ତବହୁଳ ୩୨୬ ନମ୍ବର ଜାତୀୟ ରାଜପଥ ସ୍ଥାନୀୟ କପିଳାଶ ଛକ ନିକଟରେ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ ।
ରାୟଗଡାରେ ଭାରତ ବନ୍ଦର ପ୍ରଭାବ, ଶ୍ରମିକ ସଂଗଠନର ବନ୍ଦ ପାଳନ ବନ୍ଦ ଡାକରାକୁ ସିଆଇଟିୟୁ(CITU), ଏଆଇଏନଟିସି(AINTC), ଏଆଇଟିସିୟୁ(AITCU) ଓ ସିପିଆଇ(ଏମ) ସମର୍ଥନ ଜଣାଇଥିଲା । ସଙ୍ଗଠନ କର୍ମକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ବନ୍ଦ ପାଳନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନୀତି, କୃଷକ ମାରଣ ଓ ଜନବିରୋଧି ଆଇନ ଲାଗୁ କରି ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ପର୍ଯ୍ୟାୟକ୍ରମେ ଅତ୍ୟାବଶ୍ୟକ ସମଗ୍ରୀର ଦର ଦାମ ଲାଗାତାର ବୃଦ୍ଧି, ଇନ୍ଧନ ମୂଲ୍ୟବୃଦ୍ଧି, ରୋଷେଇ ଗ୍ୟାସ, ଖାଇବା ତେଲ, ସେବାକର ଆଦି ବୃଦ୍ଧି କରି କେନ୍ଦ୍ର ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ ସଂଗଠନ । ନିମ୍ନ ମଧ୍ୟବିତ, ଗରିବ ଏବଂ ଶ୍ରମିକ ଶ୍ରେଣୀ ଲୋକେ ଏହି କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ନୀତିରେ ଅତିଷ୍ଠ ହୋଇଥିବାବେଳେ ତୁରନ୍ତ ଏହାକୁ ପ୍ରତିହାର କରିବାକୁ ସଙ୍ଗଠନ ଦାବି କରିଛି ।
ସକାଳ ୬ଟାରୁ ଶ୍ରମିକ ସଙ୍ଗଠନର ସଦସ୍ୟ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତାଧୀନ ବିଜେପି ସରକାରଙ୍କ ବିରୋଧରେ ନାରାବାଜି କରି ୧୨ଦଫା ଦାବି ପୂରଣ ପାଇଁ ଦାବି କରିଥିଲେ । ୪ଟି ଶ୍ରମ କୋଡ୍ ବାତିଲ, ଅତ୍ୟାବଶ୍ୟକ ପ୍ରତିରକ୍ଷାସେବା ଆଇନ ବାତିଲ, କୃଷି ଆଇନ ବାତିଲ କରି ସଂଯୁକ୍ତ କିଷାନ ମୋର୍ଚ୍ଚାର ୬ଦଫା ଦାବି ଗ୍ରହଣ କରିବା, ଅଙ୍ଗନୱାଡି, ଆଶାକର୍ମୀ ଓ ପାଚିକା କର୍ମୀଙ୍କୁ ମାସିକ ସର୍ବନିମ୍ନ ଦରମା ୨୬ହଜାର ଟଙ୍କା, ସମାନ କାମକୁ ସମାନ ଦରମା ନୀତି ଆଦି ଦାବି ରହିଥିବା ଜିଲ୍ଲା CITU ସଭାପତି ଚନ୍ଦନ ହରେନ୍ଦ୍ର ନାଥ କହିଛନ୍ତି । ଟ୍ରେଡ୍ ୟୁନିଅନ ତରଫରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ରାୟଗଡା ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଥିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ