ରାୟଗଡା: ଧୀରେ ଧୀରେ ରାଜ୍ୟର ସମସ୍ତ ଜିଲ୍ଲାରେ କାୟା ମେଲାଉଛି କୋରୋନା। ପରିସ୍ଥିତି ବେକାବୁ ହେଉଥିବା ବେଳେ ସ୍ଥିତିକୁ ହାତକୁ ଆଣିବା ପାଇଁ ଚାଲିଛି କସରତ। ରାୟଗଡା ଜିଲ୍ଲାରେ ଗଞ୍ଜାମ ପରିସ୍ଥିତିର ଆଶଙ୍କା ଉପୁଜିଲାଣି। ତେଣୁ ଗଞ୍ଜାମ ଭଳି ସ୍ବତନ୍ତ୍ର ନୋଡାଲ୍ ଅଫିସର୍ ନିଯୁକ୍ତି ପାଇଁ ଦାବି କଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଏପରିକି ହୋମ୍ କ୍ବାରେଣ୍ଟାଇନ୍ ଓ କଣ୍ଟେନମେଣ୍ଟ୍ ଜୋନ୍ ପରିଚାଳନାରେ ପ୍ରଶାସନ ବିଫଳ ଯୋଗୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ସେ ଅଭିଯୋଗ ଆଣିଛନ୍ତି।
ଶୁକ୍ରବାର ଜିଲ୍ଲା ହସପିଟାଲରେ ଏକ ଆମ୍ବୁଲାନ୍ସର ଶୁଭାରମ୍ଭ କରିବାକୁ ଆସିଥିବା ସମୟରେ ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ । କୋରାପୁଟ ସାଂସଦ ଇଂ.ସପ୍ତଗିରି ଉଲାକା ନିଜ ସାଂସଦ ପାଣ୍ଠିରୁ ରାୟଗଡା ଜିଲ୍ଲା ହସପିଟାଲକୁ ଆମ୍ବୁଲାନସ ପାଇଁ 18 ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ । ତେବେ ଏହି ଅବସରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସାଂସଦ ରାୟଗଡ଼ାରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କହିଛନ୍ତି। ଗୋଷ୍ଠୀ ସଂକ୍ରମଣ ଅଭିଯୋଗକୁ ପ୍ରଶାସନ ଏଡାଉଥିବାରୁ ଜିଲ୍ଲାରେ ଆକ୍ରାନ୍ତ ହୋଇଥିବା ୪୨୩ ବ୍ୟକ୍ତି କ’ଣ ତାମିଲନାଡୁରୁ ଆସିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ।
ଆମ୍ବାଗୁଡା ଗାଁରୁ ୮୦ରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ କୋଭିଡ଼୍ ପରିଚାଳନାରେ ପ୍ରଶାସନର ଦୋଷ, ଦୁର୍ବଳତା ପଦାକୁ ଆସିଛି। ଏଣୁ ତ୍ରୁଟି ନ ସୁଧାରିଲେ ରାୟଗଡ଼ାରେ ଗଞ୍ଜାମ ପରିସ୍ଥିତି ଉପୁଜିବ ବୋଲି ସାଂସଦ ସତର୍କ କରିଛନ୍ତି। ଏଥି ସହିତ କେବିକେ ଅଞ୍ଚଳରୁ ଡେପୁଟେସନରେ ଯାଇଥିବା ସମସ୍ତ ଡାକ୍ତରଙ୍କୁ ସରକାର ତୁରନ୍ତ ଫେରାଇ ଦେବାକୁ ଦାବି ରଖିଛନ୍ତି ସାଂସଦ।