ରାୟଗଡା: ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀ ମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାଜପଥ ଉପରେ ଯାନବାହନ ଚଳାଚଳ ଠପ ହୋଇଛି । ଘଟଣାରୁ ପ୍ରକାଶ ଯେ, ନାଇଡୁପେଟା ଗ୍ରାମର ଜି.ତ୍ରିବେଣି ନାମକ ଜଣେ ମହିଳା କୋରୋନା ଆକ୍ରାନ୍ତ ହୋଇ ଗତକାଲି ଜେକେପୁର କୋଭିଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା, ରାଜପଥ ଅବରୋଧ ଗତକାଲି(ଶନିବାର) ସକାଳୁ ଭର୍ତ୍ତି ହୋଇ ଚିକିତ୍ସା ଚାଲିଥିଲା । ତେବେ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଏହି ଖବର ମିଳିବା ପରେ ଗାଁରେ ଦୁଃଖ ଖେଳି ଯାଇଥିଲା । ଜେ.କେ ପୁର କୋଭିଡ ମେଡିକାଲ ଠାରେ ରୋଗୀଙ୍କ ଠିକ ଚିକିତ୍ସା ହେଉନଥିବା ଅଭିଯୋଗ କରି ଆଜି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏହାପରେ ନିକଟସ୍ଥ ଅନ୍ୟ ଗ୍ରାମବାସୀ ମାନେ ମିଳିତ ଭାବେ ରାସ୍ତା ଅବରୋଧ କରିଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଚିକିତ୍ସାରେ ଅବହେଳା ସହ ଠିକ ସମୟରେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ କାରି ରାସ୍ତା ରୋକରୁ ହଟି ନଥିଲେ ।
ଫଳରେ ରାଜପଥରେ ସମସ୍ତ ଯାନବାହନ ଚଳାଚଳ ଠପ ହୋଇଯାଇଥିଲା । ଶେଷରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ତହସିଲଦାର ଉମାଶଙ୍କର ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକ ମହିଳାଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହିତ ବଞ୍ଚେଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯିବା ସତ୍ତ୍ୱେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପ୍ରକାଶ କରିଥିଲେ । ତେବେ କୋଭିଡ ନିୟମ ମୁତବକ ତ୍ରିବେଣୀଙ୍କ ମୃତଦେହ ସତ୍କାର କରାଯିବ ବୋଲି କହିବାପରେ ରାସ୍ତାରୋକ ହଟିଥିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ