ରାୟଗଡା: ପଥର ମୂର୍ତ୍ତି ଆଖିରୁ ଝରୁଛି ଲୁହ। ଦିନେ କି ଦୁଇଦିନ ନୁହଁ ଗତ ସକ୍ରଂନ୍ତି ଠାରୁ ଅନବରତ ଭାବେ ବହି ଚାଲିଛି ଲୁହ। ଆଉ ଓଦା ହୋଇଯାଉଛି ମା’ଙ୍କ ପିନ୍ଧା ବସ୍ତ୍ର । ଫଳରେ ଚିନ୍ତାରେ ପଡିଯାଇଛନ୍ତି ମନ୍ଦିର ପୂଜକଙ୍କ ସମେତ ଗ୍ରାମବାସୀ ଓ ପରିଚାଳନା କମିଟି । ଏପରିକି ଦେବୀଙ୍କୁ ଶାନ୍ତ କରିବାପାଇଁ ପୂଜକଙ୍କ ସମସ୍ତ ପୂଜା ପାଠ ଓ ନୀତିକାନ୍ତି ପରେ ମଧ୍ୟ ଆଖିରୁ ଲୁହ ଝରିବା ବନ୍ଦ ହେଉନି। ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ପୁରାଣ ପ୍ରିସିଦ୍ଧ ପାଇକପଡ଼ାସ୍ଥିତ ଶକ୍ତି ପୀଠ ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ।
ଗତ ଶୁକ୍ରବାର (ସଂକ୍ରାନ୍ତି) ଦିନ ମନ୍ଦିରର ପୂଜକ ଭୋରରେ ମନ୍ଦିର ଖୋଲିବା ପରେ ପ୍ରଥମେ ପାତାଳେଶ୍ବର (ଶିବ) ଙ୍କ ପୂଜାର୍ଚ୍ଚନା କରିଥିଲେ। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ ଶେଷ ହେବା ପରେ ପୂଜକ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ଖୋଲି ପୂଜା କରିଥିଲେ। ସକାଳ ସାଢ଼େ ୭ଟାରେ ପୂଜା ସହ ଧୂପ ଆଳତୀ ଶେଷ ହେବା ପରେ ପୂଜକ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ଦର୍ଶନ ପାଇଁ ମା’ଙ୍କ ମନ୍ଦିରରେ ଭିଡ଼ ଜମିବା ପରେ ସାଢ଼େ ୮ଟାରେ ପୂଜକ ମନ୍ଦିରକୁ ଫେରିଥିଲେ। ଗର୍ଭ ଗୃହକୁ ପୂଜା ପାଇଁ ଯିବା ପରେ ମା’ଙ୍କ ପିନ୍ଧା ବସ୍ତ୍ର ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଥିବା ପୂଜକ ଦେଖିଥିଲେ। କିଛି ସମୟ ନୀରିକ୍ଷଣ କରିବା ପରେ ମା’ଙ୍କ ଦୁଇ ଆଖିରୁ ପାଣି ଝରୁଥିବା ପୂଜକ ଅନୁମାନ କରିଥିଲେ।
ଏ ସଂପର୍କରେ କିଛି ଭକ୍ତ ମଧ୍ୟ ଅନୁମାନ କରିବା ପରେ ସଙ୍ଗେ ସଙ୍ଗେ ମନ୍ଦିର ପରିଚାଳନା କମିଟିକୁ ପୂଜକ ଖବର ଦେଇଥିଲେ। ଦାୟିତ୍ବରେ ଥିବା କମିଟି କର୍ତ୍ତୃପକ୍ଷ ମନ୍ଦିରରେ ପହଞ୍ଚି ଏକ ଘଣ୍ଟା ଧରି ମା’ଙ୍କ ମୁହଁ ଓ ଆଖିକୁ ଚାହିଁ ରହିଥିଲେ। ଘଣ୍ଟାକ ମଧ୍ୟରେ ମା’ଙ୍କ ଦୁଇ ଆଖିରୁ ୩୦ରୁ ୩୫ ଥର ଲୁହ ବୋହି ଆସୁଥିବା କମିଟି କର୍ତ୍ତୃପକ୍ଷ ଦେଖିଥିଲେ। ୧୯୮୨ ମସିହାରେ ସାଧକ ସ୍ବର୍ଗତ ଦେବଦୁର୍ଲ୍ଲଭ ରାୟଗୁରୁ ମହାପୂଜା କରିବା ସମୟରେ ମା’ଙ୍କ ଆଖିରୁ ଏପରି ଅଶ୍ରୁ ଝରିଥିଲା। ଏହା ପରଠୁ ଆଉ କେବେ ଏହି ଅଲୌକିକ ଘଟଣା ଦେଖିବାକୁ ମିଳିନଥିଲା।