ରାୟଗଡା: ଏ ହେଉଛି ରାୟଗଡ ଜିଲ୍ଳା ସଦର ବ୍ଳକର ମଙ୍ଗଳ ବିଭାଗ ଅଧିନରେ ଥିବା ବିଲେଶୁ ସରକାରୀ ଉଚ୍ଚ ବିଦ୍ୟାଳୟ । ମୁଣ୍ଡ ଉପରେ ଅର୍ଦ୍ଧବାର୍ଷିକ ପାଇଁ ପାଠପଢା ଥିବାବେଳେ ଶ୍ରେଣୀରେ କିନ୍ତୁ ଶିକ୍ଷକଙ୍କ ଘୋର ଅଭାବ । ଯାହାର ପ୍ରତିବାଦରେ ହଷ୍ଟେଲ ଛାଡିଛନ୍ତି 36 ଜଣ ଅନ୍ତେବାସୀ ।
ତେବେ ସ୍କୁଲର ବଭିନ୍ନ ସମସ୍ୟା ନେଇ ଅନ୍ତେବାସୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳୁ ଧାରଣା ଦେଇଥିଲେ । ଆଉ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ଅଭିଯୋଗ ନକହିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରୋକ ଠୋକ ମନା କରି ଦେଇଥିଲେ । ହେଲେ ଯେନତେନ ପ୍ରକାରେ ପିଲାଙ୍କୁ ବୁଝାସୁଝା କରି ପୁଣିଥରେ ସ୍କୁଲ ମୁହାଁ କରିବାକୁ ସକ୍ଷମ ହୋଇଛି ଜିଲ୍ଲାପ୍ରଶାସନ ।
ରାୟଗଡା ଜିଲ୍ଲା ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ବିଲେଶୁ ଉଚ୍ଚ ବିଦ୍ୟାଳୟ । ଏହି ହଷ୍ଟେଲରେ ପ୍ରାୟ 600 ଜଣ ଛାତ୍ରଛାତ୍ରୀ ଅନ୍ତେବାସୀ ରହି ପାଠ ପଢ଼ୁଥିବା ବେଳେ ସ୍କୁଲରେ ମୋଟ 700ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଏତେ ପିଲାଙ୍କ ପାଇଁ ମୋଟ 8 ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଫଳରେ ହାଇସ୍କୁଲ ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେବାରେ ଲାଗିଛି । ଏହାସହ ଦୀର୍ଘ ଦିନ ହେବ ଏହି ବିଦ୍ୟାଳୟର ହଷ୍ଟେଲର ଶୈାଚାଳୟଗୁଡିକ ମଧ୍ୟ ଅକାମି ହୋଇ ପଡିରହିଛି ।