ରାୟଗଡା: ପରମ୍ପରା ନାଁରେ ଅନ୍ଧବିଶ୍ବାସ । ଏବେବି ବଞ୍ଚିଛି ପିଲା କନିଆ ବିବାହ ବା କୁଣ୍ଡାବର ପ୍ରଥା । ବିବାହ ଶବ୍ଦର ଅର୍ଥ ବୁଝିନଥିବା କୋମଳମତି ଶିଶୁଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଉଛି । ବର୍ଷବର୍ଷ ଧରି କୂଳର ଚଳଣୀ ହେଉ କିମ୍ବା ସାମାଜିକ କଟକଣା ହେଉ ବା ବାସନ୍ଦର ଦ୍ବାହି ଦେଇ ପରିବାର ଲୋକେ ଏଭଳି ଏକ ଅନ୍ଧବିଶ୍ବାସକୁ ଜାବୁଡି ଧରିଛନ୍ତି। ତେବେ ଚାଲନ୍ତୁ ଦେଖିବା ରାୟଗଡାର ଏମିତି ଏକ ଗାଁର କାହାଣୀ।
ହାତରେ 3 ରୁ 4 ମାସର କୁନିଶିଶୁକୁ ଜାବୁଡି ଧରିଛି ମାଆ । ଅନ୍ୟପଟେ ମନ ବି ଜାବୁଡି ଧରିଛି ପରମ୍ପରା ନାଁରେ ଥିବା ଅନ୍ଧବିଶ୍ବାସକୁ । ଏ ଚିତ୍ର ରାୟଗଡା ଜିଲ୍ଲା କୋଲାନରା ବ୍ଳକ ଅନ୍ତର୍ଗତ ଗୌଡ ଲେଲିବାଡି ଗାଁର । 50ଟି ମଗଦା ଗୌଡ ପରିବାରକୁ ନେଇ ଏହି ଗାଁ ଦାଣ୍ଡ ଏବେ ଢ଼ୋଲ ନିଶାଣ, ମହୁରୀ, ଟାମକର ଶବ୍ଦରେ କମ୍ପି ଉଠୁଛି । ଆଉ ଗୋଡକୁ ଗୋଡ ଛନ୍ଦି, ତାଳକୁ ତାଳ ମିଶାଇ ନାଚିଚାଲିଛନ୍ତି ସମସ୍ତେ । ହେଲେ ଏମିତି ନାଚଗୀତ ଏହି କୁନି କୁନି ଶିଶୁଙ୍କ ବାହାଘର ବା କୁଣ୍ଡାବର ପାଇଁ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ମଗଦା ଗୌଡ ସମ୍ପ୍ରଦାୟର ବିଶ୍ବାସ ଝିଅଟିଏ ବିବାହ ପୂର୍ବରୁ ରଜସ୍ବଳା ହେଲେ ଏହା ପରିବାର ଏବଂ ଗାଁ ପ୍ରତି ଅମଙ୍ଗଳ ହୋଇଥାଏ । ଆଉ ନିଜ ଶିଶୁକୁ ଏମିତି ଅମାଙ୍ଗଳିକ ର ଆଖ୍ୟା ଦେବା ଆଗରୁ ଏହା ହେଉଛି ତାର ପୂର୍ବ ପ୍ରସ୍ତୁତି।