ରାୟଗଡା:ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ପୋଲ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ମା’ ଆଗରେ ଭାସିଗଲା ପୁଅ । ଏଭଳି ଘଟଣା ଘଟିଛି ରାୟଗଡ଼ା ସହର ଉପକଣ୍ଠ ଝୁଲା ପୋଲରେ । ନିଖୋଜ ଯୁବକ ଜଣକ ହେଉଛନ୍ତି ରାୟଗଡ଼ା ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମର ଶ୍ରୀନିବାସ ଅଶୋକ କୁମାର ।
ଏହା ମଧ୍ୟ ପଢନ୍ତୁ - ପାରାଦ୍ୱୀପ ମୁହାଣରେ ବୁଡ଼ିଲା ମାଛଧରା ବୋଟ; 5 ଜଣ ମତ୍ସ୍ୟଜୀବୀ ଉଦ୍ଧାର, 3 ନିଖୋଜ
ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଅଶୋକ ନିଜ ମା'ଙ୍କୁ ଧରି ନାଗାବଳୀ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଆସିଥିଲେ । ଝୁଲା ପୋଲ ନିକଟରେ ଥିବା କଂକ୍ରିଟ ପୋଲ ଠାରେ ମା ଠିଆ ହୋଇଥିବା ବେଳେ ଅଶୋକ ନଦୀକୁ ଯାଇ ମୂର୍ତ୍ତି ବିସର୍ଜନ କରୁଥିଲେ । ହେଲେ ପ୍ରବଳ ବର୍ଷାରେ ନଦୀ କୂଳରେ ମାଟି ଖସଡ଼ା ଥିବାରୁ ଗୋଡ଼ ଖସିଯାଇ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ମା’ ଏହାଦେଖି ଚିତ୍କାର କରିବାରୁ ପୋଲ ଉପରେ ଥିବା କିଛି ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ସନ୍ଧ୍ୟା ହୋଇଯିବାରୁ ଅଗ୍ନିଶମ ବାହିନୀ ଫେରି ଯାଇଥିଲା । ତେବେ ଆଜି ପୁଣି ଖୋଜାଖୋଜି କରାଯିବ । ନିଖୋଜ ଯୁବକ ଜେକେ କାଗଜ କଳରେ କାର୍ଯ୍ୟ କରୁଥିଲେ ।