ରାୟଗଡା:ଅନେକ ସ୍ଥାନରେ ହନ୍ତସନ୍ତ ହେଉଛନ୍ତି ବସ୍ତି ବାସିନ୍ଦା । ମୁଣ୍ଡ ଟିକେ ଗୁଞ୍ଜିବାକୁ ମିଳୁନି ସ୍ଥାୟୀ ସ୍ଥାନ । ଆଜି ଏଠି ତ କାଲି ସେଠି ଏହିପରି ଭାବରେ ସମସ୍ୟା ଭୋଗୁଛନ୍ତି ବସ୍ତିବାସିନ୍ଦା । ରାୟଗଡା ଜିଲ୍ଲା ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସହ ବିଜୟନଗରମ-ଟିଟିଲାଗଡ଼ ତୃତୀୟ ରେଳଧାରଣା ନିମନ୍ତେ ସହରର ଅନେକ ବସ୍ତିକୁ ହଟାଯିବ । ଯାହାର ପ୍ରତିବାଦ କରିଛନ୍ତି ବସ୍ତିବାସିନ୍ଦା । ଉଚ୍ଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ ଦାବି କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ବସ୍ତି ବାସିନ୍ଦା ।
ବସ୍ତି ବାସିନ୍ଦାଙ୍କୁ ଥାଇଥାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ରାୟଗଡ଼ା ସହର ଭିତରେ ୪୦ରୁ ଅଧିକ ବସ୍ତି ରହିଥିବାବେଳେ ରେଳବିଭାଗ ଜମିରେ ସର୍ବାଧିକ ରହିଛି । ଏହିସବୁ ବସ୍ତି ଖାଲି କରିବା ପାଇଁ ରେଳ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି । ଫଳରେ ହଜାର ସଂଖ୍ୟାରେ ବସ୍ତି ବାସିନ୍ଦା ବର୍ତ୍ତମାନ ଚିନ୍ତାରେ ରହିଛନ୍ତି । ସେମାନେ ବର୍ତମାନ ନିଜର ଘର ଖାଲି କରି କେଉଁଆଡେ ଯିବେ ସେହି ଚିନ୍ତାରେ ଦିନ ବିତାଉଛନ୍ତି । ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ଦାବି ହୋଇଛି । ମୁଖ୍ୟତଃ ନୂଆସାହି, କୋଇଲାପଡ଼ା, ଅମ୍ବେଦକର ନଗର ବସ୍ତିରେ ସର୍ବାଧିକ ଲୋକ ରହୁଥିବାବେଳେ ସେମାନଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ କରିବା ପାଇଁ ଦାବି ହୋଇଛି । ଜିଲ୍ଲା ବସ୍ତିବାସିନ୍ଦା ମହାସଂଘ ପକ୍ଷରୁ ଏହି ଦାବି କରାଯାଇଛି ।
ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ ଅନୁଯାୟୀ ତୁରନ୍ତ ଥଇଥାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଥଇଥାନ କରାନଯାଇ ଯଦି ଉଚ୍ଛେଦ ହୁଏ ତେବେ ବିରାଟ ଆନ୍ଦୋଳନ କରାଯିବ ବୋଲି ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଘୋଷଣା ହୋଇଛି । ଦୀର୍ଘ ୫୦ ବର୍ଷ ଧରି ବସ୍ତିରେ ହଜାର ସଂଖ୍ୟାରେ ପରିବାର ରହିଆସୁଛନ୍ତି । ରେଳବାଇ ପକ୍ଷରୁ ଉଚ୍ଛେଦ କରାଗଲେ ସେମାନଙ୍କୁ କେଉଁ ସ୍ଥାନକୁ ଥଇଥାନ କରାଯିବ ବୋଲି ପ୍ରଶ୍ନ କରାଯାଇଛି । ସହର ଭିତରେ ଅନେକ ସରକାରୀ ଜମି ଥିବାବେଳେ ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୃହ ପ୍ରଦାନ କରିବାକୁ ଦାବି କରାଯାଇଛି । ନଚେତ ହାଲୁଆ ପଞ୍ଚାୟତରେ ଜାଗା ମିଳିଲେ ସମସ୍ତେ ଉପକୃତ ହେବେ ବୋଲି କହିଛନ୍ତି ।
ବିକ୍ଷୋଭ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ବିରୁଦ୍ଧରେ ନାରାବାଜି କରାଯାଇଥିଲା । ବସ୍ତିବାସିନ୍ଦା ସଂଘ ସଭାପତି ଜୁନେଶ କୁମାର ନାଏକ ଓ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯିବା ସହ ଜିଲ୍ଲାପାଳଙ୍କ ଦାବିପତ୍ର ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ବସ୍ତି ବାସିନ୍ଦାଙ୍କ ଦାବିକୁ ଗ୍ରହଣ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ ,ଇଟିିଭି ଭାରତ