ରାୟଗଡ଼ା:ସ୍ୱାଧୀନତା ଦିବସରେ ଅଘଟଣ । ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ସ୍ଥିତ ଏକ ଘରୋଇ ବିଦ୍ୟାଳୟର ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆଜି ବିଦ୍ୟାଳୟରେ ୭୭ ତମ ସ୍ଵାଧୀନତା ଦିବସ ପାଳନ ପରେ ସ୍କୁଲ ବସ ଛାତ୍ରଛାତ୍ରୀଙ୍କୁ ଘରକୁ ଛାଡ଼ିବା ପାଇଁ ଯାଉଥିଲା । ପଦ୍ମପୁର ବ୍ଲକ ପେରୁପାଙ୍ଗ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ରାସ୍ତା ପାର୍ଶ୍ବରେ ଥିବା ପାଣି ଭର୍ତ୍ତି କ୍ଷେତରେ ବସଟି ଓଲଟି ପଡ଼ିଥିଲା । ବସରେ ୧୨ ଜଣ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଡାକ୍ତରଖାନାରେ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।
ଏହା ମଧ୍ୟ ପଢ଼ନ୍ତୁ:୩ କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ, ଦୁଇ ମୃତ
ଖବର ପାଇ ପଦ୍ମପୁର ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏନେଇ ବିଦ୍ୟାଳୟର ଚେୟାରମେନ ସ୍ବାଗତ ଜେନାଙ୍କୁ ପଚାରିବାରୁ ସେ ରାୟଗଡ଼ାରେ ଥିବା କହିଥିବା ବେଳେ ଉକ୍ତ ଗାଡି ବିଭୁ ନାମକ ଡ୍ରାଇଭର ଦେଢ଼ ବର୍ଷ ହେଲା ଚଲାଉଥିବା କହିଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଉକ୍ତ ଡ୍ରାଇଭରଙ୍କ ସମ୍ପୂର୍ଣ୍ଣ ନାମ କିମ୍ବା ଠିକଣା ସେ ଜାଣି ନଥିବା କହିଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ତାଙ୍କ ଘର ପଦ୍ମପୁର ବ୍ଲକ ଯାତିଲି ନିକଟସ୍ଥ ରଘୁନାଥପୁର ଗ୍ରାମର ବୋଲି ପୋଲିସର ପ୍ରାଥମିକ ତଦନ୍ତ ସମୟରେ ଜଣାପଡିଛି ।
ସୂଚନା ଥାଉକି, ଅତାବିରା ଥାନା ଅଧିନ ଗୋଡଭଗା ନିକଟରେ ଟ୍ରକ ଧକ୍କାରେ ଦୁଇ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଗତ ସୋମବାର ଦିନ ଦ୍ବିପହର ୧୨.୩୦ ସମୟରେ ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ବିନିକା ୫୪ ନମ୍ବର ରାଜପଥ ଛନ୍ଦପାଲି ଛକ ନିକଟରେ କାଦୋବାହାଲ କଲେଜରୁ ତିନି ଜଣ ଛାତ୍ରୀ ସାଇକେଲରେ କଲେଜରୁ ଫେରୁଥିଲେ । ଏହି ସମୟରେ ଗୋଡଭଗାରୁ ବିନିକା ଯାଉଥିବା ଏକ ପାଉଁରୁଟି ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ତିନି ଛାତ୍ରୀଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନେ ଗୁରୁତର ହୋଇପଡିଥିଲେ l ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ତିନି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭିମସାର ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।
ଇଟିଭି ଭାରତ, ରାୟଗଡ଼ା