ରାୟଗଡା:ରାୟଗଡାରେ ବଡ ଅଘଟଣ । ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ତଳେ ଗାଧୋଉ ଥିବା ସମୟରେ ଭୁଶୁଡ଼ି ପଡ଼ିଛି କଲଭର୍ଟ । ଫଳରେ ୫ ଜଣ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ରହିଛନ୍ତି । ୫ ମୃତକ ହେଲେ ଲକ୍ଷ୍ମୀଧର ମିଣିଆକା (୩୫), ତାଙ୍କ ପୁଅ ପ୍ରିନ୍ସ ମିଣିଆକା, ମୋନଜ କୁଲିସିରା (୭), ଚୁମାନ ମିଣିଆକା (୫), ତାର ମିଣିଆକା (୯) । ଏହା ସହିତ ଅନ୍ୟଜଣେ ଅନ୍ୱେଷ ମିଣିଆକା (୫)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଭଳି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଆଜି(ସୋମବାର) ସକାଳ ସମୟରେ କଲ୍ୟାଣସିଂହପୁର ଉପରସାଜା ନିକଟରେ ଥିବା ନିର୍ମାଣଧିନ କଲଭର୍ଟ ତଳେ କିଛି ଲୋକ ଗାଧୋଉଥିଲେ । ହଠାତ୍ କେହି କିଛି ଜାଣିବା ଆଗରୁ କଲଭର୍ଟ ସେଣ୍ଟ୍ରିଂ ଭୁଶୁଡି ପଡିଥିଲା । ଫଳରେ ତଳେ ଗାଧୋଉଥିବା ଲୋକେ ଚାପି ହୋଇଯାଇଥିଲେ । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ପାଞ୍ଚ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଅନ୍ୟପଟେ ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରାୟଗଡା ଏସ୍ପି ଓ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।
ମୃତ ଶିଶୁଙ୍କ ମଧ୍ୟରେ ଦୁଇ ଭାଇ ରହିଛନ୍ତି । ସେପଟେ ସ୍ୱାମୀ ଲକ୍ଷ୍ମୀଧର ଓ ପୁଅ ପ୍ରିନ୍ସଙ୍କ ମୃତ୍ୟୁ ଖବରକୁ ପାଇ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏଭଳି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ୪ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଛି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟତ ବାଧାପ୍ରାପ୍ତ