ରାୟଗଡ଼ା:ବିଭିନ୍ନ ସ୍ଥାନରେ ଲୁଟପାଟ ମାମଲା ବଢିବାରେ ଲାଗିଛି । ତାଲା ପଡିଥିବା ଘରେ ଚୋରୀ ତ ପ୍ରାତଃଭ୍ରମଣରେ ଯାଉଥିବା ବୃଦ୍ଧା ମହିଳାଙ୍କ ବେକରୁ ସୁନା ଚେନ୍ ଟାଣି ନେବା । ଦିନ ଦ୍ବିପହରରେ ତ ରାତିର ଅନ୍ଧାରରେ କଳାକନା ବୁଲାଉଛନ୍ତି ଚୋର । ଏବେ କିଛି ଦିନ ହେଲା ଚୋରିର ତରିକାକୁ ବଦଳାଇ ଦେଇଛନ୍ତି ଚୋର ଏବେ ମନ୍ଦିର ମୁହାଁ ହୋଇଛନ୍ତି ।
ଗତ କିଛି ଦିନ ତଳେ ରାୟଗଡା ସହର ସ୍ଥିତ ଗୌତମ ନଗରରେ ଥିବା ଶିବ ମନ୍ଦିରରୁ ଚୋରି କରିବା ପରେ ଶୁକ୍ରବାର ମଧ୍ୟରାତ୍ରରେ ଲଗାତର ସହରରେ ଥିବା ଦୁଇଟି ମନ୍ଦିରରୁ ଏକକାଳୀନ ଚୋରି କରିବାରେ ସଫଳ ହୋଇଛନ୍ତି ଚୋରମାନେ । ପୁଣି ଥରେ ଗୌତମ ନଗର ସ୍ଥିତ ଶିବ ମନ୍ଦିରରୁ ଚୋରି କରିବା ସହ ବ୍ଲକ ଅଫିସ ନିକଟସ୍ଥ କାଳୀ ମନ୍ଦିରର ମୁଖ୍ୟ ଫାଟକକୁ ତାଡି ହୁଣ୍ଡି ଭାଙ୍ଗି ଟଙ୍କା,ସୁନା ଓ ରୂପା ଚୋରି କରି ନେଇଛନ୍ତି ଚୋର ।
ସବୁଠାରୁ ବଡକଥା ସବୁବେଳେ 24 ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ କାର୍ଯ୍ୟଳୟ ଠାରୁ ମାତ୍ର ୫ ଫୁଟ ଦୂରରେ ଏହି କାଳୀ ମନ୍ଦିରର । ଯାହାର ଦାନ ହୁଣ୍ଡି ଭାଙ୍ଗି ଚୋରି ଘଟଣା ରାୟଗଡା ଜନସାଧାରଣଙ୍କୁ ଚକିତ କରିଛି । ଏଭଳି ସ୍ଥଳେ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ବ୍ଲକ ଅଫିସ ଛକରେ ପୋଲିସ ପକ୍ଷରୁ ଉନ୍ନତମାନର ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ଚୋରମାନେ ପୋଲିସକୁ ଏକ ପ୍ରକାର ଚାଲେଞ୍ଜ ଦେଇ ଚୋରି କରୁଛନ୍ତି ।