ଓଡିଶା

odisha

ETV Bharat / state

ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ, ରାୟଗଡାରେ ବଢିଲା ସୁରକ୍ଷା - ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ରାୟଗଡାର ବିଭିନ୍ନ ସ୍ଥାନରେ ଗାଡି ଚେକିଂ କରାଯିବା ସହ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

PLGA week
ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

By

Published : Dec 2, 2019, 10:13 PM IST

ରାୟଗଡ଼ା: ଆଜିଠୁ ମାଓବାଦୀ ପାଳୁଛନ୍ତି ପିଏଲଜିଏ ସପ୍ତାହ । ଏଥିପାଇଁ ମାଓ ପ୍ରଭାବିତ ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲାଲବାହିନୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ରାୟଗଡାର ମୁନିଗୁଡା, ବିଷମକଟକ, କଲ୍ୟାଣସିଂହପୁର, କାଶୀପୁର, ଗୁଡାରୀ, ଚନ୍ଦ୍ରପୁର ସମେତ ଶେଷଖାଇ ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସେହିପରି କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ରହିଥିବା ନିୟମଗିରି ପାହାଡ ନକ୍ସଲ ଆଡ୍ଡାଙ୍କ ସ୍ଥଳରେ ପରିଣତ ହୋଇଥିବାବେଳେ, ପିଏଲଜିଏ ସପ୍ତାହ ପାଳନ ସମୟରେ ଯେପରି କୌଣସି ଅଘଟଣ ନଘଟେ, ସେନେଇ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା କହିଛନ୍ତି ରାୟଗଡା ଏସପି ଶ୍ରାବଣ ବିବେକ ଏମ । ବର୍ତ୍ତମାନ ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ହ୍ରାସ ପାଇଥିଲେ ମଧ୍ୟ, ଏହା ଉପରେ ପୋଲିସ ସତର୍କ ନଜର ରଖିଛି । ଗତ ମାସରେ ଜିଲ୍ଲାର ଅମ୍ବାଦଳା ନିକଟରେ ମାଓକ୍ୟାମ୍ପ ଧ୍ବଂସ ଓ ମାଓ ନେତ୍ରୀ ପାର୍ବତୀର ଆତ୍ମସମର୍ପଣ ପରେ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିଛି ।

ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଗୁଇନ୍ଦା ସୂତ୍ର ଆଧାରରେ ବର୍ତ୍ତମାନ ପଡୋଶୀ ଜିଲ୍ଲାର ପୋଲିସ ସହ ଯୋଗଯୋଗ କରି ଅପରେସନ ଆରମ୍ଭ କରାଯାଇଛି । ଏଥିପାଇଁ ସିଆରପିଏଫ, ବିଏସ୍ଏଫ, ଗ୍ରେହାଉଣ୍ଡ, ଡ଼ିଭିଏଫ ଓ କୋବ୍ରା ଯବାନଙ୍କ ସହ ଓଏସ୍ଏପି ଯବାନଙ୍କୁ ନିୟୋଜିତ କରାଯାଇଛି । ଓଡ଼ିଶା-ଆନ୍ଧ୍ର ସୀମାର ଶେଷଖାଲ ଥାନା ଅଧିନସ୍ଥ କେରେଡ଼ା, ରାମନାଗୁଡ଼ା ଫାଣ୍ଡିର କାଟିକି, କେଦାରପୁର, ଗୁଣପୁର ଥାନା ଅନ୍ତର୍ଗତ ଗୋଠଲପଦର ଓ ବାତିଲି ଉପରେ ପୋଲିସର ତୀକ୍ଷ୍ଣ ନଜର ରଖିଛି । ସୀମାକୁ ସିଲ କରାଯାଇ ଗାଡ଼ି ମୋଟର ଯାଞ୍ଚ ସାଙ୍ଗଙ୍କୁ ନାଇଟ ବ୍ଲକିଙ୍ଗ କରାଯାଉଛି।

ସୁରକ୍ଷା ଦୃଷ୍ଟିରୁ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାରୁ କୌଣସି ସରକାରୀ ବସ ଚଳାଚଳ କରୁନଥିବା ଜଣାପଡ଼ିଛି। ସେପଟେ ଜିଲ୍ଲାର ଦୁର୍ଗମ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ସହୀଦ ସପ୍ତାହ ଉଦ୍ଦେଶ୍ୟରେ ମାଓ ସଙ୍ଗଠନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ଜଣାପଡ଼ି ନାହିଁ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details