ଓଡିଶା

odisha

ETV Bharat / state

ରାୟଗଡାରେ ଖୁଲମଖୁଲା ଚାଲିଛି ବାଲି ଚୋରାଚାଲାଣ ! - Sand smuggling news

ରାୟଗଡା ଜିଲ୍ଲାରେ ବଂଶଧରା ଓ ନାଗାବଳୀ ନଦୀର ଅବବାହିକାରେ ବେଆଇନ ଭାବେ ଆନ୍ଧ୍ରକୁ ଚାଲିଛି କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ । ହେଲେ ଚାଲାଣକାରୀଙ୍କ ବିରୋଧରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ବାଲି ଚୋରାଚାଲାଣ
ବାଲି ଚୋରାଚାଲାଣ

By

Published : Mar 9, 2021, 11:36 AM IST

ରାୟଗଡା: ଖୁଲମଖୁଲା ଚାଲିଛି ବାଲି ଚୋରାଚାଲାଣ ! ଆନ୍ଧ୍ରକୁ ଚାଲାଣ ହେଉଛି ଟ୍ରକ ଟ୍ରକ ବାଲି ! ବଂଶଧାରା ଓ ନାଗାବଳୀ ନଦୀର ଅବବାହିକାରୁ ହେଉଛି ଲୁଟ ! କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି ରାଜ୍ୟ !

ବାଲି ଚୋରାଚାଲାଣ

ରାୟଗଡା ତହସିଲ ଅଧିନରେ ଥିବା ବଡହଂସ, ବେହେରାଗୁଡା, ଖିଲିମିଶିଗୁଡା, କେରେଡା, ଗୁରୁରାଜଗୁଡା, ପାରତାପୁର ଓ ତୁମ୍ବିଗୁଡା ଆଦି ଅଞ୍ଚଳରୁ ବାଲି ଉଠାଣ ପାଇଁ ଲିଜ୍‌ ଦିଆଯାଇଛି । ବାଲି ଘାଟରୁ କେତେ ପରିମାଣର ବାଲି ଉଠିବ ସେନେଇ ଲିଜଧାରୀଙ୍କୁ ପ୍ରଶାସନ ଟ୍ରାନଜିଟ ପାସ ମଧ୍ୟ ପ୍ରଦାନ କରିଛି । ହେଲେ ଏହାକୁ ଖାତିର ନକରି ଅବାଧରେ ବାଲି ଲୁଟା ଯାଉଥିବା ଦେଖାଯାଉଛି ।

ଏହାକୁ ଖୁଲମଖୁଲା ଆନ୍ଧ୍ର ପ୍ରଦେଶକୁ ପଠାଯାଉଛି । ନା ଏହାକୁ କିଏ ବିରୋଧ କରୁଛି, ନା କିଏ ରୋକୁଛି । ତେବେ ସବୁ ଜାଣି ପ୍ରଶାସନର ଅଧିକାରୀମାନେ ଚୁପ୍‌ ବସିଥିବା ଅଭିଯୋଗ ହେଉଛି । ଆନ୍ଧ୍ରପ୍ରଦେଶରେ ବାଲିର ଚଢା ଦର ରହିଛି । ଯାହାକୁ ଦୃଷ୍ଟିରେ ରଖି ବିଶେଷ କରି କେରେଡା ଓ ପାରତାପୁର ଅଞ୍ଚଳରୁ ଶହ ଶହ ଟ୍ରକ୍ ବାଲିକୁ ଚୋରାରେ ପୋଡଶୀ ରାଜ୍ୟ ଆନ୍ଧ୍ରକୁ ଚାଲାଣ କରାଯାଉଛି ।

ସରକାରୀ ନିୟମ ମୁତାବକ, ଟ୍ରାକ୍ଟର ପାଇଁ 3 ସିଏମ୍, 6 ଚକିଆ ଟ୍ରକ୍ ପାଇଁ 6 ସିଏମ୍ ଓ ଟିପ୍ପର ପାଇଁ 9 ସିଏମ୍ ବାଲି ଉଠାଣ ପାଇଁ ୱାଇ ଫର୍ମ ପ୍ରଦାନ କରାଯାଇଛି । ହେଲେ ଲିଜଧାରୀ ମାନେ ଚଞ୍ଚକତା କରି ଗୋଟିଏ ଗୋଟିଏ ହାଇୱାରେ 30 ରୁ 35 ସିଏମ୍ ପର୍ଯ୍ୟନ୍ତ ବାଲି ଚାଲାଣ କରୁଛନ୍ତି । ସେପଟେ ବିଧାନସଭାରେ ବାଲି ଚୋରାଚାଲାଣକୁ ନେଇ ତୁମ୍ବିତୋଫାନ ହେବା ପରେ ଜିଲ୍ଲା ପ୍ରଶାସନ କଠୋର ହୋଇଛି । ଚୋରାଚାଲାଣ ରୋକିବାକୁ ସମସ୍ତ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜଙ୍ଗଲ ଏବଂ ପରିବେଶ ବିଭାଗ ନିୟମ ମୁତାବକ ବହିଯାଉଥିବା ଝରଣା କିମ୍ବା ନଦୀ ଉତ୍ସରୁ କୌଣସି ମେସିନ ବ୍ୟବହାର କରି ବାଲି ଉଠାଇବା ବେନିୟମ ହୋଇଥିବା ବେଳେ ଏଠି କିନ୍ତୁ ଖୁଲାମଖୁଲା ନିୟମକୁ ଉଲ୍ଲଘଂନ କରାଯାଉଛି । ଫଳରେ ନଦୀଗର୍ଭରୁ ଜେସିବି ଲଗାଇ ବାଲି ଉଠାଯାଉଥିବା ଯୋଗୁଁ ପ୍ରତି ବର୍ଷ ନାଗାବଳୀ ଏବଂ ବଂଶଧାରାର ଗତିପଥ ପରିବର୍ତ୍ତନ ହେଉଥିବା କୁହାଯାଉଛି । ଏଭଳି ସ୍ଥିତି ଯଦି ଜାରି ରହେ ତେବେ ଆଗାମୀ ଦିନରେ ଏକ ବଡ ଧରଣର ବନ୍ୟାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details